ଭୁବନେଶ୍ୱର : ଓଡ଼ିଶା ପାଇଁ ରେଳ ବଜେଟ୍ରେ ୫,୫୨୮ କୋଟି ଟଙ୍କା ବ୍ୟୟ ବରାଦ ରହିଛି । ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଚଳିତ ବର୍ଷ ବଜେଟ୍ରେ ରେଳ ପ୍ରକଳ୍ପଗୁଡ଼ିକ ପାଇଁ ରାଜ୍ୟ ସରକାର ୭୨୦୦ କୋଟି ଟଙ୍କା ଦେବାକୁ ଦାବି କରିଥିଲେ ।
୨୦୦୯-୧୪ ମଧ୍ୟରେ ଓଡ଼ିଶାର ରେଳ ପ୍ରକଳ୍ପଗୁଡ଼ିକ ଲାଗି ହାରାହାରି ୮୩୮ କୋଟି ଟଙ୍କା ଆସିଥିବା ବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଥିବା ଶ୍ରୀ ଗୋୟଲ ଦାବି କରିଛନ୍ତି। ଯେଉଁଥିରେ ନୂଆ ରେଳପଥ, ଗେଜ୍ ପରିବର୍ତ୍ତନ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପଗୁଡ଼ିକରେ ୬୧,୯୪୯ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୪୮୭୭ କିଲୋମିଟର ରେଳପଥ ବିଛା ଯିବାର କାର୍ଯ୍ୟକ୍ରମ ରହିଛି।
ପୂର୍ବତଟ ରେଳପଥ ପକ୍ଷରୁ ବଜେଟ୍ ସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର (୨୮୯ କିମି) ୫୦୦ କୋଟି ଟଙ୍କା, ଅନୁଗୁଳ-ସୁକିନ୍ଦା ରୋଡ୍ (୯୮.୭ କିମି) ପାଇଁ ୪୦୦ କୋଟି ଟଙ୍କା, ହରିଦାସପୁର-ପାରାଦୀପ (୮୨ କିମି) ପାଇଁ ୧୦୦ କୋଟି ଟଙ୍କା, ତାଳଚେର-ବିମଳାଗଡ଼ (୧୫୪ କିମି) ୧୦ କୋଟି ଟଙ୍କା, ଜୟପୁର-ମାଲକାନାଗିରି (୧୩୦ କିମି) ପାଇଁ ୨୮ କୋଟି ଟଙ୍କା, ଜୟପୁର-ନବରଙ୍ଗପୁର (୩୮ କିମି) ୧୫ କୋଟି ଟଙ୍କା ଦେଇଛନ୍ତି।
ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ୍ ପାଇଁ ୨୦ କୋଟି ଟଙ୍କା, ସମ୍ବଲପୁର-ଟିଟିଲାଗଡ଼ ପାଇଁ ୨୫ କୋଟି ଟଙ୍କା ଦିଆଯାଇଥିବା ସୂଚନା ମିଳିଛି। ତେବେ ଆସନ୍ତାକାଲି ଏନେଇ ପୂର୍ବତଟ ରେଳପଥ ବିଧିବଦ୍ଧ ଭାବେ ସୂଚନା ଦିଆଯିବ ବୋଲି ସୂଚନା ରହିଛି ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0