ଭୁବନେଶ୍ୱର : ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷାର ସମୟ ସୀମା ବୃଦ୍ଧି କରିବାକୁ ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ)କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିଦେ୍ର୍ଦଶକ୍ରମେ ପରୀକ୍ଷା ଶେଷ କରିବାର ସମୟ ସୀମା ସେପ୍ଟେମ୍ବର ୩୦ ପରିବର୍ତ୍ତେ ଅକ୍ଟୋବର ୧୦ ପର୍ୟ୍ୟନ୍ତ ବୃଦ୍ଧି କରିବା ପାଇଁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୟୁଜିସି ସଚିବଙ୍କୁ ନିବେଦନ କରିଛନ୍ତି। ସମୟ ସୀମା ବୃଦ୍ଧି ଦ୍ୱାରା ଗୋଟିଏ ଦିନ ଅନ୍ତରରେ ପରୀକ୍ଷା ହୋଇପାରିବ ଏବଂ ପରୀକ୍ଷା କେନ୍ଦ୍ରକୁ ଠିକ ଭାବେ ବିଶୋଧନ କରାଯାଇପାରିବ। ଶ୍ରୀ ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୟୁଜି, ପିଜି ଶେଷ ସେମିଷ୍ଟର ପରୀକ୍ଷା ବାତିଲ କରିବାକୁ ଜୁନ ୧୮ରେ ନିଷ୍ପତ୍ତି ନେଇଥିଲେ। ତେବେ ୟୁଜିସି ପକ୍ଷରୁ ଜୁଲାଇ ୬ରେ ସଂଶୋଧିତ ମାର୍ଗଦର୍ଶିକା ପ୍ରକାଶ କରାଯାଇ ସେପ୍ଟେମ୍ବର ୩୦ ସୁଦ୍ଧା ପରୀକ୍ଷା ସାରିବାକୁ କୁହାଗଲା। ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ରାଜ୍ୟ ସରକାର ଚାହିଁଲେ ୟୁଜିସିଠାରୁ ଅନୁମତି ନେଇ ସେପ୍ଟେମ୍ବର ୩୦ ପରେ ମଧ୍ୟ ପରୀକ୍ଷା କରିପାରିବେ। ସୁପ୍ରିମକୋର୍ଟଙ୍କ ରାୟ ପରେ ଗତ ୩୧ ତାରିଖରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି, ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକଙ୍କ ସହ ଭିଡିଓ କନ୍ଫରେନ୍ସିଂ ହୋଇଥିଲା। ତେବେ ବର୍ତ୍ତମାନ ସମୟରେ ପରୀକ୍ଷା କରାଇବା ପାଇଁ ଅତି କମରେ ୨୦ ଦିନ ସମୟ ଆବଶ୍ୟକ। ତେଣୁ ସେପ୍ଟେମ୍ବର ୨୦ରୁ ପରୀକ୍ଷା କରାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ବିଷୟ ଓ ପେପର ଆଧାରରେ ପରୀକ୍ଷା କରାଯାଉଥିବାରୁ ପ୍ରତ୍ୟେକ ଦିନ ଏକାଧିକ ପରୀକ୍ଷା କରିବାକୁ ହେବ। ଏମିତି କି ଦିନକୁ ୩ରୁ ୪ଟି ବିଷୟର ପରୀକ୍ଷା କରାଗଲେ ଯାଇ ସେପ୍ଟେମ୍ବର ୩୦ ସୁଦ୍ଧା ପରୀକ୍ଷା ଶେଷ ହେବ। ଯଦି ଏପରି କରାଯାଏ ତେବେ ପରୀକ୍ଷା କେନ୍ଦ୍ରରେ ପ୍ରବଳ ଭିଡ଼ ହେବା ସହ କୋଭିଡ୍-୧୯ ନିୟମ ଉଲ୍ଲଂଘନ ହେବାର ସମ୍ଭାବନା ରହିଛି। ଯଦି ବିନା ବ୍ୟବଧାନରେ ପରୀକ୍ଷା କରାଯାଏ ତେବେ କ୍ୟାମ୍ପସ ବିଶୋଧନ କରିବା ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ପର୍ୟ୍ୟାପ୍ତ ସମୟ ପାଇବେ ନାହିଁ। ତେଣୁ ଏହି ସବୁ କାରଣକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ୟ୍ୟୟ ପରିଚାଳନା ଆଇନ ଆଧାରରେ ପରୀକ୍ଷା ଶେଷ ସମୟ ସୀମାକୁ ଅକ୍ଟୋବର ୧୦ ପର୍ୟ୍ୟନ୍ତ ବୃଦ୍ଧି କରାଯାଉ ବୋଲି କହିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0