ମୋହନା: ସରକାର ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏବେବି ଏମିତି କିଛି ଗାଁ ଅଛି ଯେଉଁଠାର ଲୋକେ ଆଜିଯାଏଁ ଦେଖିନାହାନ୍ତି ବିଜୁଳି ଆଲୁଅ । ଅନ୍ୟପଟେ ଜୀବନକୁ ବାଜ଼ୀ ଲଗାଇ ଖରସ୍ରୋତା ନାଳରେ କରୁଛନ୍ତି ଯାତାୟାତ।

ଗଜପତି ଜ଼ିଲ୍ଲା ମୋହନା ବ୍ଲକ ର ଦୁର୍ଗମ ଗରଡମା ପଞ୍ଚାୟତ ଗୋଟେ ସମୟରେ ମାଓବାଦୀଙ୍କ ଗଡ଼ ଥିଲା । ସମୟକ୍ରମେ ସରକାରଙ୍କ ବିକାଶ ମୂଳକ ଯୋଜନା ଗୁଡିକ ଅଞ୍ଚଳରେ କାର୍ଯ୍ୟକାରୀ ହେବାସହ ମାଓମୁକ୍ତ ଅଞ୍ଚଳ ଘୋଷଣା ହୋଇଥିଲା ଏହି ଅଞ୍ଚଳ। କିନ୍ତୁ ପଞ୍ଚାୟତରେ ଏମିତି କିଛି ଗ୍ରାମ ରହିଛି ଯେଉଁଠାକୁ ଯିବାକୁ ହେଲେ ଗଭୀର ନାଳ ପାର ହେବାକୁ ପଡିଥାଏ । ଆମେ କହୁଛୁ ଗାଟୁଗୁଡା ଗ୍ରାମ କଥା । ଗ୍ରାମରେ କୁଇ କନ୍ଧ ଆଦିବାସୀ ସମ୍ପ୍ରଦାୟ ର ୫୦୦ରୁ ଉର୍ଦ୍ଧ ଜନସାଧାରଣ ବସବାସ କରନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଗ୍ରାମକୁ ପକ୍କା ସଡ଼କ ଟିଏ ନାହିଁ । ଯାହା ଫଳରେ ଏହି ନାଳ ପାରି ହୋଇ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକେ। ପକ୍କା ରାସ୍ତା ତଥା ନାଳ ଉପରେ ପୋଲଟିଏ ନଥିବା ଯୋଗୁଁ ବାଧ୍ୟହୋଇ ବିଭିନ୍ନ ଦୈନନ୍ଦିନ କାର୍ଯ୍ୟପାଇଁ ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ଉପରେ ନିର୍ଭର କରନ୍ତି ଏଠାକାର ଲୋକେ।
ଏହାସହ ବିଦ୍ୟୁତ ଆଲୋକ ନଥିବା ଯୋଗୁଁ ଡିବିରୀ ଆଲୁଅରେ ନିଜ ଭବିଷ୍ୟତର ଅଙ୍କ କଷନ୍ତି ଏଠାକାର ଛାତ୍ରଛାତ୍ରୀ । ବାରମ୍ବାର ଅଭିଯୋଗ ପରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମକୁ ବିଦ୍ୟୁତ ସଂଯୋଗୀକରଣ ପାଇଁ ବିଦ୍ୟୁତ ବିଭାଗ ଅଧୀନରେ କାର୍ଯ୍ୟଆରମ୍ଭ ହୋଇଥିଲା କିନ୍ତୁ କେବଳ ଖୁଣ୍ଟ ପୋତି କାମ ସାରିଦେଇଛି ବିଭାଗ । ମିଟର ବସିଛି କିନ୍ତୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଯାହାଫଳରେ ଦେଖନ୍ତୁ କେମିତି ଡିବି ଆଲୁଅରେ ବସି ପାଠ ପଢୁଛନ୍ତି ଦେଶର ଭବିଷ୍ୟତ। ପ୍ରତିଦିନ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ନାନା ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ।
ଗ୍ରାମରେ ଲାଗିରହିଥିବା ଏସମସ୍ତ ସମସ୍ୟାର ସମାଧାନ ସ୍ୱରୂପ ରାସ୍ତା ଏବଂ ବିଦ୍ୟୁତ ଯୋଗାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ମୋହନା ବି.ଡି.ଓ ଙ୍କ ସହ ଯୋଗାଯୋଗ କରିବାରୁ ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁଁ କିଛି ବାଧା ଉପୁଜିଛି ଅତିଶୀଘ୍ର ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ରାସ୍ତା ନିର୍ମାଣ ଏବଂ ବିଦ୍ୟୁତ ସଂଯୋଗ କରାଯିବ ବୋଲି ସେ କହିଛନ୍ତି ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0