ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଶିକ୍ଷଣ ଶିବିର ଛାଡ଼ି ଅଚାନକ ୟୁଏଇରୁ ସ୍ୱଦେଶ ଫେରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସୁରେଶ ରାଇନା। ହୋଟେଲ ରୁମ୍ ବିବାଦ ପାଇଁ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ଖବରକୁ ଖଣ୍ଡନ କରିବା ସହ ପୁଣି ଥରେ ସେ ସିଏସ୍କେ ପ୍ରଶିକ୍ଷଣ ଶିବିରରେ ଯୋଗଦେବାର ସଙ୍କେତ ଦେଇଛନ୍ତି । ପାରିବାରିକ କାରଣ ପାଇଁ ଭାରତ ଫେରିଥିବା ଏବଂ ଏହା ସହିତ ହୋଟେଲ୍ ରୁମ୍ କିମ୍ବା ଅନ୍ୟ କୌଣସି ବିବାଦର ସଂପର୍କ ନଥିବା ସେ ସ୍ପଷ୍ଟ ମନା କରି ଦେଇଛନ୍ତି। ସେହିଭଳି ତାଙ୍କ ସଫଳତାକୁ ସହି ପାରୁ ନଥିବା କିଛି ବ୍ୟକ୍ତି ଏଭଳି ମିଛ ଖବର ପ୍ରଚାର କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ରାଇନା। ‘ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି ଥିଲା। ମୋ ପରିବାର ପାଇଁ ମୋତେ ଘରକୁ ଫେରିବାର ଥିଲା ଏବଂ ପାରିବାରିକ କ୍ଷେତ୍ରରେ କିଛି କଥା ଓ ସମସ୍ୟାର ତୁରନ୍ତ ସମାଧାନ କରିବା ନିହାତି ଜରୁରୀ ଥିଲା। ତାହା ସହିତ ସିଏସ୍କେ ମଧ୍ୟ ମୋ ପରିବାର ଭଳି। ମାହି ଭାଇ ମୋ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମୋ ପାଇଁ ମଧ୍ୟ ଏହା ଅତ୍ୟନ୍ତ କଠିନ ନିଷ୍ପତ୍ତି ଥିଲା। ସିଏସ୍କେ ଓ ମୋ ଭିତରେ କୌଣସି ବିବାଦ ନାହିଁ। ହୁଏତ ମୁଁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିସାରିଛି। ହେଲେ ମୁଁ ଏବେ ବି ଯୁବକ ଅଛି। ଅହୁରି ୪ରୁ ୫ ବର୍ଷ ପର୍ୟ୍ୟନ୍ତ ଆଇପିଏଲ୍ ଖେଳିବାକୁ ଲକ୍ଷ୍ୟ ରଖିଛି’ ବୋଲି ରାଇନା ବୁଧବାର ଦେଇଥିବା ଏକ ସାକ୍ଷାତକାରରେ ସ୍ପଷ୍ଟ କରି ଦେଇଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0