ଭୁବନେଶ୍ୱର : ଭାରତ ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ଅନୁସାରେ ବିହାର ବିଧାନସଭା ନିର୍ବାଚନ ସହିତ ଓଡ଼ିଶାରେ ଖାଲି ପଡ଼ିଥିବା ଦୁଇଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ବିଧାନସଭା ଆସନ ୩୮-ବାଲେଶ୍ବର ଓ ୧୦୨- ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଭିଡିଓ କନଫରେନ୍ସିଂ ଜରିଆରେ ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ଏସ୍ପିମାନଙ୍କ ସହ ସମୀକ୍ଷା କରିଛନ୍ତି। କୋଭିଡ-୧୯ ପରିସ୍ଥିତି ଯୋଗୁଁ ନିର୍ବାଚନ ସମୟରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ କିପରି ଅନୁପାଳନ କରାଯିବ, ସେ ନେଇ ବ୍ୟାପକ ଦୃଷ୍ଟି ଦିଆଯିବ। ଏଥିପାଇଁ ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂ, ମାସ୍କ୍ ବ୍ୟବହାର, ଗ୍ଲୋବ୍ସ୍ ପରିଧାନ, ସାନିଟାଇଜର୍ ବ୍ୟବହାର ଉପରେ ଗୁରୁତ୍ବାରୋପ କରାଯାଇଛି। ଉଭୟ ଭୋଟର ଓ ନିର୍ବାଚନ କାର୍ୟ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଧ୍ୟାନ ଦିଆଯିବ। ନିର୍ବାଚନ ସମୟରେ ଜଣେ ଅଭିଜ୍ଞ ଡାକ୍ତରଙ୍କୁ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ସ୍ତରରେ ନୋଡାଲ୍ ସ୍ବାସ୍ଥ୍ୟ ଅଧିକାରୀ ଭାବେ ନିୟୋଜିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ବୁଥରେ ସର୍ବାଧିକ ୧ ହଜାର ମତଦାତା ମତାଦାନ କରିପାରିବେ। ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସମ୍ପୃକ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ଅତିରିକ୍ତ ବୁଥ ଗଠନ ଉପରେ ଗୁରୁତ୍ବ ଦେବେ। କୋଭିଡ୍ ଆକ୍ରାନ୍ତ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ଆଇସୋଲେସନ୍ ସେଣ୍ଟର ଓ କୋଭିଡ୍ ସଂକ୍ରମିତ ଭୋଟରଙ୍କୁ ଭୋଟଦାନ ସମୟର ଶେଷ ପର୍ୟ୍ୟାୟରେ ମତଦାନ କରିବାକୁ ଅନୁମତି ପ୍ରଦାନ କରାଯିବ। ନିର୍ବାଚନ କାର୍ୟ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ, ଯାନବାହାନର ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଷ୍ଟ୍ରଙ୍ଗରୁମ୍ ଓ ଭୋଟଗଣତି କେନ୍ଦ୍ର ସମ୍ପର୍କରେ ଆଲୋଚନା କରାଯାଇଥିଲା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0