ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି), ସ୍ନାତକୋତ୍ତର(ପିଜି) ଓ ବିଏଡ୍ ଶେଷ ସେମିଷ୍ଟର ପରୀକ୍ଷା ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥର ପରୀକ୍ଷା ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ କରାଯିବ। ଛାତ୍ରୀମାନେ କେଉଁ ମାଧ୍ୟମରେ ପରୀକ୍ଷା ଦେବେ ସେ ନେଇ ବିଶ୍ବବିଦ୍ୟାଳୟକୁ ଅବଗତ କରିବେ। ତେବେ କେବେ ସୁଦ୍ଧା ଅବଗତ କରିବେ ସେନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ବିଶ୍ବବିଦ୍ୟାଳୟ ସମେତ ଏହା ଅଧୀନ ୯ ଜିଲ୍ଲାର ୪୮ ମହିଳା ମହାବିଦ୍ୟାଳୟ ପାଇଁ ଏକା ସମୟରେ ପରୀକ୍ଷା ଅନୁଷ୍ଠିତ ହେବ। ୟୁଜି ଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ। ୨୪ ତାରିଖରେ ଅନର୍ସ ଛାତ୍ରୀମାନେ ଇଲେକ୍ଟିଭ ବିଷୟର ଆସାଇନମେଣ୍ଟ ଉଭୟ ଅନ୍ଲାଇନ୍ ଓ ଅଫଲାଇନ୍ରେ ଦାଖଲ କରିପାରିବେ। ୨୩ ଓ ୨୪ ତାରିଖ ଦୁଇ ଦିନ ଧରି ୟୁଜି ଥିଓରି ଶେଷ ତଥା ଷଷ୍ଠ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ପିଜି ଚତୁର୍ଥ ସେମିଷ୍ଟର ଏମ୍.ଏସ୍ସି ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୨୧ ତାରିଖରେ ହେବ। ୨୫ ତାରିଖରେ ପିଜି ଛାତ୍ରୀ ସେମାନଙ୍କର ଆସାଇନମେଣ୍ଟ ଦାଖଲ କରିବେ। ୨୮ ତାରିଖରେ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ବିଏଡ୍ ଛାତ୍ରୀଙ୍କ ଥିଓରି ପରୀକ୍ଷା ଆସନ୍ତା ୨୧ ଓ ୨୪ରେ ଅନୁଷ୍ଠିତ ହେବ ଏବଂ ୩୦ ତାରିଖରେ ଛାତ୍ରୀମାନେ ସେମାନଙ୍କର ଆସାଇନମେଣ୍ଟ ଦାଖଲ କରିପାରିବେ।କୋଭିଡ୍-୧୯ ନିୟମ ଅନୁଯାୟୀ ପରୀକ୍ଷା କରାଯିବ। ପରୀକ୍ଷାର ସମୟ ସୀମା ଏକ ଘଣ୍ଟା ରହିବ। ପରୀକ୍ଷା ପୂର୍ବରୁ ଗବେଷଣାଗାର ଓ ଶ୍ରେଣୀଗୃହ ବିଶୋଧନ ହେବ। ପରୀକ୍ଷା ସମୟରେ ସାମାଜିକ ଦୂରତା ରଖାଯିବା ସହ ସମସ୍ତ କୋଭିଡ୍-୧୯ ନିୟମ ପାଳନ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସବୁଠାରୁ ବଡ଼ କଥା ହେଉଛି ଯେ ବିଜ୍ଞପ୍ତିକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କେଉଁ ମାଧ୍ୟମରେ ସେମାନେ ପରୀକ୍ଷା ଦେବେ ସେନେଇ କେବେ ସୁଦ୍ଧା ଜଣାଇବା ବିଷୟରେ ବିଜ୍ଞପ୍ତିରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। କେଉଁଭଳି ପ୍ରଶ୍ନ ଆସିବ ତାହାକୁ ନେଇ ଛାତ୍ରୀମାନେ ଦ୍ବନ୍ଦ୍ବରେ ପଡିଛନ୍ତି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0