spot_img

ଶ୍ରମିକ ପାଇବେ ବେକାରୀ ଭତ୍ତା: ଇଏସଆଇସିର ୪୦ ଲକ୍ଷ ସଦସ୍ୟ ହେବେ ଉପକୃତ

କରୋନା ମହାମାରୀ ପ୍ରଭାବରେ ଚାକିରୀ ହରାଇଥିବା ଶିଳ୍ପ କ୍ଷେତ୍ରର ଶ୍ରମିକମାନଙ୍କୁ ମିଳିବ ବେକାରୀ ଭତ୍ତା । କର୍ମଚାରୀ ରାଜ୍ୟ ବୀମା ନିଗମ ଜରିଆରେ ଏହାର ସଦସ୍ୟମାନଙ୍କୁ ଏହି ସୁବିଧା ଦିଆଯିବ । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ବେକାରୀ ଭତ୍ତା ଭାବେ ଶ୍ରମିକମାନଙ୍କୁ ବେତନର ୫୦ ପ୍ରତିଶତ ରାଶି ପ୍ରଦାନ କରାଯିବ । ଏହି ଯୋଜନ ଦ୍ୱାରା ଇଏସଆଇସିର ସଦସ୍ୟ ଥିବା ପ୍ରାୟ ୪୦ ଲକ୍ଷ ଶ୍ରମିକ ଉପକୃତ ହେବେ । ଏହି ଯୋଜନାକୁ ଚଳିତ ବର୍ଷ ଜୁଲାଇରୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବେକାର ହୋଇପଡିଥିବା ଶ୍ରମିକମାନଙ୍କୁ ତିନି ମାସ ପର୍ଯ୍ୟନ୍ତ ୫୦ ପ୍ରତିଶତ ବେକାରୀ ଭତ୍ତା ପ୍ରଦାନ କରାଯିବ । ଯେଉଁ ଶ୍ରମିକମାନେ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଡିସେମ୍ବର ୩୧ ଭିତରେ ଚାକିରୀ ହରାଇବେ ସେମାନଙ୍କୁ ଏହି ଭତ୍ତା ଦିଆଯିବ । ଯୋଜନାର ଲାଭ ପାଇବାକୁ ହେଲେ ବେକାର ହୋଇଥିବା କର୍ମଚାରୀମାନଙ୍କୁ ଇଏସଆଇସି ଶାଖାରେ ପହଞ୍ଚି ଆବେଦନ କରିବାକୁ ପଡିବ । ସବୁ କାଗଜପତ୍ର ଯାଞ୍ଚ କରିବା ପରେ ଆବେଦନକାରୀଙ୍କ ବ୍ୟାଙ୍କ ଖାତାରେ ଭତ୍ତା ବାବଦ ଟଙ୍କା ଜମା କରାଯିବ । ଏଥିପାଇଁ ଆଧାର ନମ୍ବରର ସହାୟତା ନିଆଯିବ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଇଏସଆଇସିକୁ ୬୭୧୦.୬୮ କୋଟି ଟଙ୍କା ବ୍ୟୟ କରିବାକୁ ପଡିବ । ଇଏସଆଇସି ହେଉଛି ଶ୍ରମ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସଂସ୍ଥା ଯାହା ମାସିକ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଇଥିବା ଶ୍ରମିକମାନଙ୍କୁ ଇଏସଆଇସି ସ୍କିମ୍ ଅଧୀନରେ ବୀମା ସୁବିଧା ଯୋଗାଇ ଦେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular