ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଘୋଡ଼ାହାଡ଼ ଜଳଭଣ୍ଡାର ଗର୍ଭରେ ରହିଛି ପ୍ରାୟ ୩୦୦ ବର୍ଷ ପ୍ରଚୀନ ପରିତ୍ୟକ୍ତ ଓ ଭଗ୍ନ ମନ୍ଦିର। ଘୋଡ଼ାହାଡ଼ ଡ୍ୟାମ୍ର ଜଳସ୍ତର ହ୍ରାସ ପାଇଲେ ମନ୍ଦିରର ଚୂଡ଼ା ଦେଖା ଯାଇଥାଏ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଘୋଡ଼ାହାଡ଼ ଡ୍ୟାମ୍ ପରିଦର୍ଶନରେ ଯାଇଥିବା ବେଳେ ଏହି ମନ୍ଦିର ଫଟୋକୁ ତାଙ୍କ ଟୁଇଟର୍ ହ୍ୟାଣ୍ଡଲ୍ରେ ଅପ୍ଲୋଡ଼୍ କରିବା ପରେ ଏହି ଭଗ୍ନ ମନ୍ଦିରକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। କିଛି ଦିନ ତଳେ ନୟାଗଡ଼ ଜିଲ୍ଲାର ଏକ ନଦୀ ଗର୍ଭରୁ ଏଭଳି ଏକ ପ୍ରାଚୀନ ମନ୍ଦିର ଠାବ ହୋଇଥିଲା। ୧୯୭୬ ମସିହାରେ ଘୋଡ଼ାହାଡ଼ ଡ୍ୟାମ୍ ନିର୍ମାଣ ହୋଇଥିଲା। ଏହି ଡ୍ୟାମ୍ ନିର୍ମାଣ ବେଳେ କିଛି ଗ୍ରାମକୁ ବୁଡ଼ି ଅଞ୍ଚଳ ଘୋଷଣା କରାଯାଇ ଉଚ୍ଛେଦ କରା ଯାଇଥିଲା। ସେହି ବୁଡ଼ି ଅଞ୍ଚଳ ମଧ୍ୟରେ ଏହି ପ୍ରାଚୀନ ମନ୍ଦିରଟି ରହିଥିବା କୁହାଯାଉଛି। ମନ୍ଦିରର ଉଚ୍ଚତା ୬୦ଫୁଟ। ମନ୍ଦିର ପୀଢ଼ା ଶୈଳୀରେ ହୋଇଥିବା ବେଳେ ଇଟାରେ ନିର୍ମିତ। ମୁଖଶାଳା ଓ ମୁଖ୍ୟ ମନ୍ଦିର ଦୁଇ ଭାଗରେ ବିଭକ୍ତ ହୋଇଛି। ମୁଖଶାଳା ଭୁଶୁଡ଼ି ପଡ଼ିଛି। ମୁଖ୍ୟ ମନ୍ଦିରରେ ୫ଫୁଟ ଉଚ୍ଚତାରେ ଏକ ସିଂହାସନ ରହିଛି। ମନ୍ଦିରଟି ଅତଳ ଜଳରାଶିରେ ବୁଡ଼ି ରହିଛି। ବର୍ତ୍ତମାନ ଘୋଡ଼ାହାଡ଼ ଡ୍ୟାମ୍ ଠାରୁ ୨କିମି ଦୂରରେ ବିଜୟନଗରଗଡ଼ ବୋଲି ଏକ ଛୋଟ ଗ୍ରାମ ରହିଛି। । ପାଣି କମ୍ ଥିବାରୁ ଏବେ ମନ୍ଦିରଟି ଦୃଶ୍ୟମାନ ହେଉଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0