ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ କୋଇଲା ଖଣିର ବିସ୍ଥାପିତ ଏବଂ ପ୍ରଭାବିତ ଲୋକଙ୍କୁ କମ୍ପାନୀ ବହୁସମୟରେ ଅଣଦେଖା ଓ ଅବହେଳା କରି ଆସୁଛି । ଏଥିଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିସ୍ଥାପନ ପୁନର୍ବାସ ଓ ଥଇଥାନ ନୀତିି ଅନୁସାରେ, କମ୍ପାନୀ ଲୋକଙ୍କୁ କ୍ଷତିପୂରଣ ଓ ଥଇଥାନ ନକରି ନିଜ ଅମାର ଭରି ଚାଲିଛି ବୋଲି ଅଭିଯୋଗ ହୋଇଛି ।
ଏପରିକି କମ୍ପାନୀ ଚୁକ୍ତି ମୁତାବକ ଲୋକଙ୍କୁ ଜୀବନଜୀବିକା, ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ପ୍ରଦାନରେ ଅବହେଳା କରୁଥିବାରୁ ଅନେକ ସମୟରେ ଏହାର ବିରୋଧରେ ଲୋକେ ରାଜରାସ୍ତାକୁ ଓହ୍ଲାଉଛନ୍ତି ।
ସୂଚନାଅନୁସାରେ, ଓସିପିଏଲ କମ୍ପାନୀ ହେମଗିର ଡ଼ୁରୁବୁଗା ପଞ୍ଚାୟତରୁ ମୋଟ ୯୯୦ ଏକର ଜମି ଅଧିଗ୍ରହଣ କରିିବାର ପ୍ରସ୍ତାବ ରଖିଛି । ଅନ୍ୟପଟେ ନିୟମ ଅନୁସାରେ ଗାଁ ଲୋକଙ୍କୁ ଅଧିଗ୍ରହଣ, ବିସ୍ଥାପନ ଓ ଥଇଥାନ ସମ୍ପର୍କିତ ସୂଚନା ପ୍ରଦାନ କରାଯାଇ ନାହିଁ । କିନ୍ତୁ ଗତବର୍ଷ ମନୋହରପୁର କୋଇଲା ଖଣି ପାଇଁ ସବୁ ଗାଁକୁ ବିସ୍ଥାପିତ ହେବ ବୋଲି ସୂଚନା ଦିଆଯାଇଥିଲା । ତା’ପରଠାରୁ ଆଉ କମ୍ପାନୀ କୌଣସି ସୂଚନା ଦେଇ ନଥିଲା । ଗତ ସେପ୍ଟେମ୍ବର ୧୨ ତାରିଖରେ ଜିଲ୍ଲା ଭୂଅର୍ଜନ ଅଧିକାରୀ ପରମାନନ୍ଦପୁର ଯାଇ ଜୁଲାଇ ୧୬ ପରେ ତିଆରି ହୋଇଥିବା ଘରର କ୍ଷତିପୂରଣ ଦିଆଯିବ ନାହିଁ ବୋଲି ସିଧାସଳଖ ମନା କରିଥିଲେ । ଏହା ପରେ ଲୋକେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ । ପୁଣି ଏ ପର୍ଯ୍ୟନ୍ତ ଗ୍ରାମରେ ଜମି ଅଧିଗ୍ରହଣକୁ ନେଇ କୌଣସି ଗ୍ରାମସଭା ଡ଼କାଯାଇ ନଥିଲା । ଏପରିକି ଲୋକଙ୍କ ମତ ମଧ୍ୟ ନିଆଯାଇ ନଥିଲା । ତେବେ ଗ୍ରାମସଭା ଜରିଆରେ ଗ୍ରାମବାସୀଙ୍କ ସହ ଆଲୋଚନା ନକରିବା ଯାଏ ଓସିପିଏଲକୁ ଡ଼ୁରୁବୁଗା ପଞ୍ଚାୟତର କୌଣସି ଗ୍ରାମରେ ଜମି ଅଧିଗ୍ରହଣ କିମ୍ବା ଅନ୍ୟ କୌଣସି ବିସ୍ଥାପିତ ସମ୍ପର୍କିତ କାର୍ଯ୍ୟକୁ କାର୍ଯ୍ୟକାରୀ କରିବାକୁ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0