ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ । ପ୍ରଧାନମନ୍ତ୍ରୀ ହିସାବରେ ସେ ଅନେକ ଉପଲବ୍ଧି ହାସଲ କରିଛନ୍ତି । ଯାହା ତାଙ୍କର ଇଚ୍ଛାଶକ୍ତିକୁ ଜାହିର କରୁଛି । ଜାମ୍ମୁ –କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେଉ ବା ମୁସଲିମ ମହିଳାଙ୍କୁ ତିନି ତଲାକରୁ ମୁକ୍ତି ଦେବା ହେଉ । ଖାଲି ଏତିକି ନୁହେଁ , ରାମ ମନ୍ଦିରର ଶୁଭାରମ୍ଭ ମଧ୍ୟ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଛି । ଲମ୍ବାର ସମୟରୁ ହୋଇଆସୁଥିବା ବିବାଦ ଶାନ୍ତିପୂର୍ଣ୍ଣ ଢ଼ଙ୍ଗରେ ସମାଧାନ ହୋଇଛି । ତାଙ୍କ କାର୍ଯ୍ୟକାଳ ଭିତରେ ଜନକଲ୍ୟାଣ ସହ ଜଡ଼ିତ ଅନେକ ଯୋଜନାର ମଧ୍ୟ ଶୁଭାରମ୍ଭ ହେବା ସହ କାର୍ଯ୍ୟକାରୀ ମଧ୍ୟ ହୋଇଥିଲା ।
ମୋଦୀ ସରକାରଙ୍କର ସବୁଠାରୁ ଐତିହାସିକ ପଦକ୍ଷେପ ହେଲା ଧାରା ୩୭୦ ଉଚ୍ଛେଦ । ଯାହା ଜନସଂଘ ଜମାନାରୁ ତାଙ୍କର ପ୍ରାଥମିକତା ରହିଆସିଛି । ମୋଦୀ ସରକାର ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରିଦେଇଥିଲେ । ଏବେ ଜମ୍ମୁ-କାଶ୍ମୀର ଓ ଲାଦାଖ ଦୁଇ କେନ୍ଦ୍ରଶାସିତ ପ୍ରଦେଶ । ଏହି ନିଷ୍ପତ୍ତି ପରେ କାଶ୍ମୀର ସମେତ ପୁରା ଦେଶରେ ଏକ ବିଧାନ, ଏକ ଶାସନ ବ୍ୟବସ୍ଥା ଲାଗୁ ହୋଇଛି । ମୋଦୀଙ୍କର ଏହି ନିଷ୍ପତ୍ତିକୁ ସାରା ବିଶ୍ୱ ସ୍ୱାଗତ କରିଥିଲା । ଠିକ୍ ସେମିତି ମୁସଲିମ୍ ମହିଳାମାନଙ୍କୁ ତିନି ତଲାକରୁ ମୁକ୍ତ କରିବା ପାଇଁ ପଦକ୍ଷେପ ନେଇଥିଲେ । ମୋଦୀ ସରକାର ତିନି ତଲାକ ଉପରେ କଟକଣା ପାଇଁ ‘ମୁସଲିମ ମହିଳା ବିବାଦ ଅଧିକାର ସଂରକ୍ଷଣ ବିଧେୟକ-୨୦୧୯’ ଲୋକସଭା ଓ ରାଜ୍ୟସଭାରେ ପାସ୍ କରାଇଥିଲେ । ଅଗଷ୍ଟ ୧ ତାରିଖରେ ଏହା ଆଇନତଃ ଅପରାଧ ଘୋଷିତ ହୋଇଥିଲା । ନାଗରିକତା ସଂଶୋଧନ ଆଇନ ଜାନୁଆରି ୧୦ରେ ସାରା ଦେଶରେ ଲାଗୁ କରାଯାଇଥିଲା । ଏହି ନିୟମରେ ପାକିସ୍ତାନ, ଆଫଗାନିସ୍ତାନ ଓ ଅନ୍ୟ ଦେଶରୁ ଆସୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସି ଓ ଇହୁଦୀ ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ମିଳିପାରିବ । ଦେଶରେ ଏଥିପାଇଁ ଅନେକ ବିରୋଧ ପ୍ରଦର୍ଶନ ହୋଇଥିଲେ ହେଁ ସରକାର ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ।

୨୦୧୬ ସେପ୍ଟେମ୍ବର ୧୮ ତରିଖ ଉରି ଆକ୍ରମଣର ୧୧ଦିନ ପରେ ୨୦୧୬ ସେପ୍ଟେମ୍ବର ୨୯ ଭାରତୀୟ ସେନା ଏଲଓସି ଭିତରେ ପ୍ରବେଶ କରି ଆତଙ୍କବାଦୀଙ୍କ ଲଞ୍ଚ୍ ପ୍ୟାଡ଼୍ ଧ୍ୱଂସ କରିବା ସହ ଅନେକ ଆତଙ୍କବାଦୀଙ୍କ ପ୍ରାଣ ନେଇଥିଲା । ଏହା ପରେ ୨୦୧୯ ଫେବ୍ରୁଆରି ୧୪ ତାରିଖରେ ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସିଆରପିଏଫର ୪୦ ଜଣ ଜବାନ ସହିଦ ହୋଇଥିଲେ । ଏହି ଆକ୍ରମଣର ଠିକ୍ ୧୨ ଦିନ ପରେ ଫେବ୍ରୁଆରି ୨୬ ତରିଖରେ ଭାରତୀୟ ବାୟୁସେନା ବର୍ଡର ପାର କରି ପାକିସ୍ତାନ ସୀମାରେ ଥିବା ଆତଙ୍କବାଦୀଙ୍କ ପେଣ୍ଠକୁ ଧ୍ୱଂସ କରିଦେଇଥିଲା । ଏହାକୁ ଏୟାର ଷ୍ଟ୍ରାଇକ ନାଁ ଦିଆଯାଇଥିଲା । ଅଗଷ୍ଟ ୫ ତାରିଖ, ୨୦୨୦ରେ ମୋଦୀ ଭୂମିପୂଜନ କରି ରାମମନ୍ଦିର ନିର୍ମାଣର ଶୁଭାରମ୍ଭ କରିଥିଲେ । ରାମ ମନ୍ଦିର ଓ ବାବ୍ରୀ ମସ୍ଜିଦ୍ ବିଧ୍ୱଂସ ମାମଲାରେ ସୁପ୍ରିମ କୋର୍ଟ ରାମମନ୍ଦିର ସପକ୍ଷରେ ରାୟ ଦେଇଥିଲେ , ଯାହାକୁ ସମସ୍ତେ ସ୍ୱାଗତ କରିଥିଲେ । ଏହି ଆଦେଶ ବିରୋଧରେ କୌଣସି ସ୍ଥାନରେ ବିକ୍ଷୋଭ କିମ୍ବା ଧାରଣା ପ୍ରଦର୍ଶନ ହୋଇନଥିଲା ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗ୍ରାମୀଣ ଓ ସହରୀ ବିକାଶ ପାଇଁ ଅନେକ ଜନହିତକର ଯୋଜନାମାନ ପ୍ରଣୟନ କରିଛନ୍ତି । ୨୦୧୪ ଅଗଷ୍ଟ ୨୮ରେ ଦେଶର ଜନତାଙ୍କୁ ବ୍ୟାଙ୍କିଙ୍ଗ ସହ ଯୋଡିବା ପାଇଁ ଜନଧନ ଯୋଜନା ପ୍ରଣୟନ କରିଥିଲେ । ଏହି ଯୋଜନା ଅନୁସାରେ ୩୧.୩୧ କୋଟି ଲୋକଙ୍କ ଖାତା ଖୋଲାଯାଇଥିଲା । ଦେଶରେ ଥିବା ଗରିବମାନେ ଗ୍ୟାସ ଚୁଲ୍ଲାରେ ଖାଦ୍ୟ ପ୍ରସ୍ତୁତ କରିବା ନିମନ୍ତେ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କରିଥିଲେ ମୋଦୀ ସରକାର । ସରକାରୀ ସୂଚନା ଅନୁସାରେ ପ୍ରାୟ ୩ କୋଟି ପରିବାରକୁ ଏହି ଯୋଜନାରେ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଥିଲା । କୃଷକଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବସ୍ତୁ ଅଧିନିୟମ ୧୯୫୫, ଏଗ୍ରିକଲଚର ପ୍ରଡ୍ୟୁସ ମାର୍କେଟ କମିଟି ଆକ୍ଟରେ ପରିବର୍ତ୍ତନ କରାଯାଇଥିଲା । ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ଆରକ୍ଷଣ ଦିଆଯାଇଥିଲା । ଏହା ଫଳରେ ଶିକ୍ଷା କ୍ଷେତ୍ରରେ ଆଡମିଶନ୍ ପାଇଁ ଗରିବ ସବର୍ଣ୍ଣଙ୍କୁ ଏହାର ଲାଭ ମିଳିଥିଲା ।

ଭାରତରେ ‘ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟାକ୍ସ’ (ଜିଏସଟି)ର ମାମଲା ଅନେକ ସମୟ ଧରି ଅଟକି ରହିଥିଲା । ମୋଦୀ କାର୍ଯ୍ୟଭାର ଗ୍ରହଣ କରିବାର ତିନି ବର୍ଷ ପରେ ସଂସଦରେ ଜିଏସଟି ବିଲ ପାସ ହୋଇଥିଲା । ଜୁଲାଇ ୨୦୧୭ରେ ପୁରା ଦେଶରେ ଜିଏସଟି ଲାଗୁ ହୋଇଥିଲା । ଜିଏସଟି ଲାଗୁ ହେବା ପରେ ଉତ୍ପାଦର ମୂଲ୍ୟ ସବୁ ରାଜ୍ୟରେ ସମାନ ହୋଇଥିଲା ଓ ରାଜ୍ୟକୁ ତାଙ୍କ ଭାଗର ଟ୍ୟାକ୍ସ କେନ୍ଦ୍ର ସରକାର ଦେଉଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0