ସୁନ୍ଦରଗଡ଼ : ଦେଢ଼ବର୍ଷ ପରେ ସୁନ୍ଦରଗଡ଼ ବନଖଣ୍ଡର ହେମଗିର ବନାଞ୍ଚଳସ୍ଥିତ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ପୁଣି ଦୁଇଟି ବିରଳ କଳାବାଘ ଦେଖିବାକୁ ମିଳିଛି। କିଛିଦିନ ତଳେ ଜଙ୍ଗଲକୁ ଯାଇଥିବା କିଛି ଲୋକଙ୍କ ନଜରରେ ଏହା ପଡ଼ିଥିବା କୁହାଯାଉଛି। କିନ୍ତୁ ବନବିଭାଗ ଏ ସମ୍ପର୍କରେ ନିରବ ରହିଛି। ଏହାପୂର୍ବରୁ ୨୦୧୮ ମେ ମାସରେ ଏହି ଜଙ୍ଗଲରେ ଏକ କଳାବାଘ ନଜରକୁ ଆସିଥିଲା। ଓଡ଼ିଶା ରାଜ୍ୟ ଜଙ୍ଗଲରେ ପ୍ରଥମକରି ଏକ ବିରଳ କଳାବାଘ ଦେଖାଯିବା ରାଜ୍ୟ ବନବିଭାଗକୁ ବେଶ ଉତ୍ସାହିତ କରିଥିଲା। ଗର୍ଜନପାହାଡ଼ ଉପରେ ବିଭାଗର ପୂରା ଦୃଷ୍ଟି ନିବିଦ୍ଧ କରି ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେତେବେଳେ ସୁନ୍ଦରଗଡ଼ ବନବିଭାଗ ପକ୍ଷରୁ ସିସିଟିଭି କ୍ୟାମେରା ଖଞ୍ଜି କଳାବାଘର ଗତିବିଧି ଉପରେ ନଜର ରଖାଯାଇଥିଲା। ବାଘଟି ବର୍ଷେ ଗର୍ଜନପାହାଡ଼ରେ ରହିଥିବା ଭିତରେ ୨୦୧୯ରେ ଦୁଇଟି ଛୁଆ ଜନ୍ମ କରିଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହାପରେ ପରେ ବାଘଟି ଜଙ୍ଗଲରୁ ଗାଏବ ହୋଇଯାଇଥିଲା। ଏବେ ଦେଢ଼ବର୍ଷ ପରେ ପୁଣି ଦୁଇଟି କଳାବାଘ ଦୃଷ୍ଟିକୁ ଆସିଥିବାବେଳେ ଏହା ବାଘର ଛୁଆ ହୋଇପାରନ୍ତି ବୋଲି କୁହାଯାଉଛି। ଏଯାଏ ଭାରତର ୯ଟି ରାଜ୍ୟରେ କଳାବାଘ ଦେଖାଯାଇଛି। ଦକ୍ଷିଣ ଭାରତର କର୍ଣ୍ଣାଟକ ରାଜ୍ୟରେ ପ୍ରଥମ କରି କଳାବାଘ ଦେଖାଯାଇଥିଲା। ଏହାସହ ଦକ୍ଷିଣର କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଉତ୍ତରରେ ହିମାଚଳପ୍ରଦେଶ, ଉତ୍ତର-ପୂର୍ବାଞ୍ଚଳରେ ଆସାମ ଓ ମଧ୍ୟଭାଗରେ ଛତିଶଗଡ଼ରେ କଳାବାଘ ଦେଖାଯାଇଥିବାବେଳେ ନବମ ରାଜ୍ୟ ଭାବେ ଓଡ଼ିଶାରେ ନଜରକୁ ଆସିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0