କଲିକତା: ଅସନ୍ତା ଅକ୍ଟୋବର ୧ତାରିଖରୁ ପଶ୍ଚିମବଙ୍ଗରେ ସମସ୍ତ ସିନେମା ହଲ ଖୋଲିବ । ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦିନ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ଦୀର୍ଘ ୭ ମାସ ହେବ ବନ୍ଦ ହୋଇଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଓ ସିନେମା ହଲ ଆଦି ପୁଣିଥରେ ଖୋଲିବାକୁ ଯାଉଛି । ‘ରାଜ୍ୟରେ ଜୀବନଧାରଣକୁ ସ୍ୱଭାବିକ କରିବା ପାଇଁ ଯାତ୍ରା, ନାଟକ, ସିନେମା ହଲ, ସଂଗୀତ, ନୃତ୍ୟ ଶୋ’କୁ ଅକ୍ଟୋବର ୧ ତାରିଖରୁ ଆରମ୍ଭ କରିବାକୁ ଅନୁମତି ଦିଆଗଲା’ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ସମସ୍ତ କୋଭିଡ଼ କଟକଣାକୁ ପାଳନ କରି ଏହା ଖୋଲାଯିବ । ଏହା ସହିତ ୫୦ ପ୍ରତିଶତ ଲୋକଙ୍କୁ ନେଇ ଏହି ସବୁ ପରିଚାଳିତ ହେବ ବୋଲି ବ୍ୟବସ୍ଥା କରଯାଇଛି । ଉଲ୍ଲେଖଯୋଗ୍ୟ, କରୋନା ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ, ସିନେମା ହଲ, ବସ, ଟ୍ରେନ ସହ ବଜାରକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା । ତେବେ ଏଥି ମଧ୍ୟରୁ କିଛି ଅଳ୍ପ ମାତ୍ରାରେ ଖୋଲିଥିବା ବେଳେ ଅନେକ ବନ୍ଦ ରହିଛି । ତେବେ ପଶ୍ଚିମବଙ୍ଗରେ ସ୍କୁଲକୁ ସେପ୍ଟେମ୍ବରରୁ ଖୋଲିଥିବା ବେଳେ, ଆସନ୍ତା ଅକ୍ଟୋବର ମାସରୁସିନେମା ହଲ ଖୋଲିବ ବୋଲି ନିଷ୍ପତି ହୋଇଛି । ତେବେ ଅନ୍ୟପଟେ ଅକ୍ଟୋବରରୁ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ସିନେମା ହଲ ଖୋଲିବାକୁ ଅନୁମତି ମିଳିପାରେ ।