ଗଞ୍ଜାମ: ନିଯୁକ୍ତିର ମାସେ ନପୁରୁଣୁ ଛଟେଇ । କରୋନା ବେଳେ ଜୀବନକୁ ବାଜି ଲଗାଇ କାମ କରିଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ସରକାର ବହିଷ୍କାର କରିବା ପରେ ଏନ୍ଏମ୍, ଜିଏନ୍ଏମ ଓ ଫାର୍ମାସିଷ୍ଟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଗଷ୍ଟ ୨୪ ତାରିଖରେ ନିଯୁକ୍ତି ଦିଆଯାଇଥିବାବେଳେ ଗତମାସ ୧୮ ତାରିଖରେ ଛଟେଇ କରାଯାଇଛିା ସରକାରଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ଶତାଧିକ ସ୍ୱାସ୍ଥ୍ୟ କର୍ମୀ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ରାତିରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, “ଗଞ୍ଜାମ ଜିଲ୍ଲାରେ କରୋନା ଭଳି ଭୟଙ୍କର ପରିସ୍ଥିତିରେ ଜୀବନକୁ ବାଜି ଲଗାଇ ଦିନ ରାତି ଏକ କରି କାମ କଲୁ । ଆମମାନଙ୍କ ମଧ୍ୟରୁ ଅନେକ କରୋନାର ଶିକାର ହୋଇ ଜୀବନ ମଧ୍ୟ ହାରିଲେ। ଆଜି ଯେତେବେଳେ କରୋନାର କୋପ ଟିକେ ନିୟନ୍ତ୍ରଣକୁ ଆସିଲା, ଆମ ଜୀବନ ଜୀବିକା କଥା ସରକାର ତିଳେ ହେଲେ ବିଚାର ନକରି ବିନା କୌଣସି ନୋଟିସରେ କାର୍ଯ୍ୟରୁ ବହିଷ୍କୃତ କରିଦେଲେ।” ଏଥିସହ ସେମାନେ କହିଛନ୍ତି, ୩ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଆମ ସହ ଚୁକ୍ତି ହୋଇଥିଲା। ତାହା ପୂର୍ବରୁ କିପରି ବହିଷ୍କୃତ କରାଗଲା। ଏହାଦ୍ୱାରା ଆମେ ଆର୍ଥିକ ମାନସିକ କ୍ଷେତ୍ରରେ ଚାପଗ୍ରସ୍ତ ହୋଇପଡିଛୁ । ଅନ୍ୟ ଜିଲ୍ଲାରେ ପୁନର୍ବାର ଯେତେବେଳେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ଆମ ଜିଲ୍ଲାପାଳ ଏହା ଉପରେ ସଂପୂର୍ଣ୍ଣ ନୀରବ । ଆମ ଆନ୍ଦୋଳନର ବିଭିନ୍ନ ସମୟରେ ଖାଲି ଆଲୋଚନା କରି ପ୍ରତିଶ୍ରୁତି ଦେଇ ଆମକୁ ପଠାଇ ଦେଉଛନ୍ତି। ଜିଲ୍ଲାପାଳ ଚୂଡ଼ାନ୍ତ ନିଷ୍ପତ୍ତି ନନେବା ଯାଏଁ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲାର ବିଭିନ୍ନ ଜାଗାରୁ ଆସିଥିବା ଏନଏମ୍, ଜିଏନଏମ୍, ଫାର୍ମାସିଷ୍ଟ ସ୍ୱାସ୍ଥ୍ୟକର୍ମୀ।