ନ୍ୟୁଜ ୬ ଓଡିଶା, ବ୍ୟୁରୋ ରିପୋର୍ଟ: ବିବାହ ଏକ ପବିତ୍ର ବନ୍ଧନ । ଦୁଇଟି ଅପରିଚିତଙ୍କୁ ଦିଏ ଗୋଟିଏ ପରିଚୟ । ଯାହା ମାଧ୍ୟମରେ ସମ୍ପର୍କ ସହ ଯୋଡି ହୁଏ ସମ୍ପର୍କ । ସାମାଜିକ ସ୍ୱୀକୃତିରେ ଗଢି ଉଠେ ସମାଜ । ମାତ୍ର ଏ କେଉଁ ସମାଜର ପ୍ରତିଛବି ? ଯେଉଁଠି ସ୍ୱାଧୀନତାର ୭୪ ବର୍ଷ ପରେ ବି ନାରୀ ଆଖିରୁ ସୁଖୁନି ନୀର । ଲୁହକୁ ଲହୁ କରି ସହୁଛି ଦୁଃଖ । ଯନ୍ତ୍ରଣାର ଯୌତୁକ ଜୁଇରେ ଜଳି ଯାଉଛି ଜାୟା । ଶିକ୍ଷିତ ପରିବାରର କ୍ଷତ ଦେଉଛି ଦାରୁଣ ଦୁଃଖ । ଘରୋଇ ହିଂସାର ହିସାବ ରଖୁଛି କିଏ? ଦିନ କେଇଟା ଭିତରେ ଦୁଇ ଦୁଇଟା ନବବଧୂ ହତ୍ୟା ଘଟଣା ଯୌତୁକ ପାଇଁ ହୋଇଥିବା ଅଭିଯୋଗ ହୋଇଛି ।
ଯୈତୁକ ପାଇଁ ବଧୁ ହତ୍ୟା । ରାଜଧାନୀର ତମାଣ୍ଡୋ ଅଞ୍ଚଳରେ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ୱାମୀ ଓ ଶ୍ୱଶୁର ଝିଅକୁ ମାରିଥିବା ବାପଘର ଲୋକ ଅଭିଯୋଗ କରିଛନ୍ତି । ଶଶୁର ବିଜୟ ଗୋଚ୍ଛାୟତ ଜଣେ ପୋଲିସ କର୍ମଚାରୀ ଓ ପୁଅ ଉଚ୍ଚ ଶିକ୍ଷିତ । ତଥାପି ଯଉତୁକ ଜୁଇରେ ଜଳିଯାଇଛି ମାତ୍ର ୬ମାସ ବିବାହ କରି ଘରକୁ ଆସିଥିବା ନବବଧୁ ବନ୍ଦନା । କେବଳ ସେତିକି ନୁହେଁ ଖାକିର ଦମ ଦେଖାଇ ଶ୍ୱଶୁର ମାମଲା ରଫାଦଫା ପାଇଁ ଚାପ ପକାଉଥିବା ଅଭିଯୋଗ ହୋଇଛି । ଏନେଇ ମଧ୍ୟ ସେ ଝିଅର ବାପାଙ୍କୁ ମେସେଜ କରିଥିବା କଥା ସାମ୍ନାକୁ ଆସିଛି । ତେବେ ନଜର ପକାନ୍ତୁ ଏହି ମେସେଜ ଉପରେ… ‘ସମୁଧୀ…ଯାହା ହୋଇଛି ମୁଁ ମେଡିକାଲରୁ ଗଲେ ତମର ସବୁ ଜିନିଷ ଫେରାଇ ଦେବି । ସବୁ ପଇସା ବି ଦେଇଦେବି । କେସ୍ କଲେ ଓକିଲ ପଇସା ନେବ । ଲାଭ ହେବନି । ମୋ କଥା ମାନି କେସ୍ କରନି ।’ କିନ୍ତୁ ଝିଅକୁ ନ୍ୟାୟ ମିଳୁ ବୋଲି ପୋଲିସରେ ଏଫଆଇଆର ଦେଇଛନ୍ତି ପରିବାର ଲୋକେ ।

ଠିକ୍ ସେହିପରି ପୁରୀଘାଟ ଥାନା ଅନ୍ତର୍ଗତ ତେଲେଙ୍ଗା ବଜାରରୁ ଆସିଛି ଆଉ ଏକ ହୃଦୟ ବିଦାରକ ଘଟଣା । ପାଦରୁ ଲିଭିନି ଅଳତା କି କାନ୍ଥରୁ ଲିଭିନି ଚିତ୍ତା । ବିବାହର ୩ ସପ୍ତାହ ଭିତରେ ଯଉତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସହି ଆଖି ବୁଜିଛି ଦୀପ୍ତି ମଲିକ । ୨୦୧୯ ଜୁଲାଇ ୭ ତାରିଖରେ ସେ ତେଲେଙ୍ଗା ବଜାରର ବିଜୁ ମଲ୍ଲିକଙ୍କୁ ବିବାହ କରିଥିଲେ । ତାର ୩ ମାସ ନପୁରୁଣୁ ତାଙ୍କ ମୃତ୍ୟୁ ଖବର ତାଙ୍କ ବାପଘର ଲୋକଙ୍କୁ ମିଳିଥିଲା ଫୋନ ମାଧ୍ୟମରେ । ଘଟଣାସ୍ଥଳରେ ତାଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଥିବା ଜଣାପଡିଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ବନ୍ଦନା ଓ ଦୀପ୍ତି କେବଳ ଜଳିଛନ୍ତି ଯଉତୁକ ଜୁଇରେ ? ନାଁ ଘରୋଇ ହିଂସାର ହିସାବ ତଳେ ଦବି ଯାଇଛି ଅନେକ ଦୀପ୍ତି ଆଉ ବନ୍ଦନାଙ୍କ ଜୀବନ? ତେବେ ଏ କେବଳ ଦୁଇଟି ଘଟଣା ନୁହେଁ । ପ୍ରତିଦିନ ଏମିତି ଅନେକ ଘଟଣା ସାମ୍ନାକୁ ଆସୁଛି । ଦେଖନ୍ତୁ ଏ ସଂକ୍ରାନ୍ତରେ କିଛି ରିପୋର୍ଟ…….
ନ୍ୟାସନାଲ କ୍ରାଇମ୍ ରେକର୍ଡ ବୁ୍ୟରୋ ଅନୁସାରେ, ୧ଜାନୁଆରୀ, ୨୦୦୧ ରୁ ୩୧ ଡିସେମ୍ବର ୨୦୧୨ ମଧ୍ୟରେ ଦେଶରେ ୯୧,୨୦୨ ଯୌତୁକ ହତ୍ୟା ମାମଲା ଦାୟର ହୋଇଛି । ସେଥିମଧ୍ୟରୁ ୮୪,୦୧୩ ମାମଲାର ସତ୍ୟାସତ୍ୟ ଯାଞ୍ଚ କରାଯାଇଥିବା ବେଳେ ବାକି ମାମଲାଗୁଡିକର ଯାଞ୍ଚ ହୋଇନାହିଁ । ତେବେ ଯଦି ଆମେ ଦେଖିବା ଏମାନଙ୍କ ମଧ୍ୟରୁ ୫,୦୮୧ଟି ମାମଲା ମିଛ ବୋଲି ଯାଞ୍ଚ ବେଳେ ସୂଚନା ମିଳିଛି ।
୨୦୦୧ରେ ସାରା ଦେଶରେ ୬,୮୫୧ ଯୌତୁକ ଜନିତ ହତ୍ୟା ମାମଲା ଦାୟର ହୋଇଥିଲା । ତାର ୫ ବର୍ଷ ପରେ ଅର୍ଥାତ୍ ୨୦୦୬ ମସିହାରେ ଏହି ମାମଲା ୭,୬୧୮ କୁ ବୃଦ୍ଧି ପାଇଥିଲା । କେବଳ ସେତିକି ନୁହେଁ ତାର ଠିକ୍ ୬ ବର୍ଷ ପରେ ଅର୍ଥାତ୍ ୨୦୧୨ରେ ଏହି ସଂଖ୍ୟା ବଢି ୮,୨୩୩ କୁ ଛୁଇଁଛି । ୨୦୦୧ର ୬୮୫୧ ମାମଲାକୁ ଯଦି ବିଶ୍ଲେଷଣ କରିବା ତେବେ ସେଥିରୁ ୬୫୩୯ ଟି ମାମଲା ଯୌତୁକ ଜନିତ ହତ୍ୟା ମାମଲା ବୋଲି ଦୋଷାରୋପ କରାଯାଇଥିବା ବେଳେ ସେଥିରୁ ୬୦୬୦ଟି ମାମଲା ଯାଞ୍ଚ ପାଇଁ ପଠାଯାଇଥିଲା । ଠିକ୍ ସେହିପରି ୨୦୧୨ରେ ୮୦୨୨ଟି ମାମଲା ଯୌତୁକ ଜନିତ ବୋଲି ଦାୟର ହୋଇଥିବା ବେଳେ ୭୫୩୭ଟି ଯାଞ୍ଚ ହୋଇଛି ।
ଇଏ ତ ଥିଲା ଯୌତୁକ ଜନିତ ନିର୍ଯ୍ୟାତନା ମାମଲା ସମ୍ପର୍କରେ ସୂଚନା । ତେବେ ଆସନ୍ତୁ ନଜର ପକାଇବା ଯୌତୁକ ଜନିତ ହତ୍ୟା ଗ୍ରାଫ ଉପରେ । ନ୍ୟାସନାଲ କ୍ରାଇମ୍ ରେକର୍ଡ ବୁ୍ୟରୋ ଅନୁସାରେ କଣ ରହିଛି ତଥ୍ୟ ।

୨୦୦୧ରେ ସମଗ୍ର ଦେଶରେ ୬୮୫୧ ଯୌତୁକ ଜନିତ ହତ୍ୟା ମାମଲା ଦାୟର ହୋଇଛି । ଠିକ୍ ସେହିପରି ଏହି ସଂଖ୍ୟା ୨୦୦୬ରେ ୭୬୧୮ରେ ପହଁଞ୍ଚି ଥିବା ବେଳେ ୨୦୧୨ରେ ଏହା ୮୨୩୩ କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଆପଣମାନେ ନଜର ପକାନ୍ତୁ ଯୌତୁକ ହତ୍ୟା ମାମଲା, ଯାହା ଏପର୍ଯ୍ୟନ୍ତ ବିଚାରାଧୀନ ଅବସ୍ଥାରେ ରହିଛି । ୨୦୦୧ ପୂର୍ବରୁ ପ୍ରାୟ ୨୧,୯୨୨ ଟି ଯୌତୁକ ଜନିତ ହତ୍ୟା ମାମଲା ବିଚରାଧୀନ ଅବସ୍ଥାରେ ରହିଥିବା ବେଳେ ୨୦୧୨ ରେ ଏହା ୨୯,୬୬୯ ଛୁଇଁଛି । ଏହି ୧୨ ବର୍ଷ ଭିତରେ ୧,୩୮୯ ଟି ମାମଲାକୁ ଉଠାଇ ନିଆ ଯାଇଥିବା ବେଳେ ୪୪,୬୬୮ଟି ମାମଲାରେ ଅପରାଧୀ ଦୋଷି ସାବ୍ୟସ୍ତ ହୋଇଛନ୍ତି ।
ଦେଶରେ ୨୦୧୭ରେ ୧୦୮୧ଟି ଯୌତୁକ ଜନିତ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣା ୨୦୧୬ରେ ୯୮୭ ରହିଥିଲା । ଫଳରେ ୨୦୧୬ ଅପେକ୍ଷା ୨୦୧୭ରେ ଏହା ୧୦ ପ୍ରତିଶତ ବଢିଛି । ଯୈ÷ାତୁକ ପ୍ରତିଶେଧ ଅଧିନିୟମ ଅଧିନରେ ୨୦୧୭ରେ ୭୨୭, ୨୦୧୮ରେ ୬୯୦ ଏବଂ ୨୦୧୯ରେ ୭୩୯ ମାମଲା ଦାୟର ହୋଇଛି । ୨୦୧୮ରେ ଯୌତୁକ ଜନିତ ହତ୍ୟା ଘଟଣା ୪୮ ରହିଥିବା ବେଳେ ୨୦୧୯ରେ ଏହା ୫୨ ରହିଛି । ତେବେ ଆପଣମାନେ ଏହି ତଥ୍ୟକୁ ନଜର ପକାଇଲେ ଜାଣିପାରିବେ ଯେ, ବର୍ଷ ପରେ ବର୍ଷ ସମାଜ ଯେତିକି ଶିକ୍ଷିତ ହେବାକୁ ଲାଗିଛି ଯୌତୁକ ଜନିତ ମୃତ୍ୟୁ ସଂଖ୍ୟା ସେତେକି ବଢିବାରେ ଲାଗିଛି ।
ତେବେ ଏଠି ପ୍ରଶ୍ନ ଉଠୁଛି, ସମାଜରୁ କେବେ ହଟିବ ଯୌତୁକ ସମସ୍ୟା? ଆଉ କେତେ ଦିନ ଜଳିବ ବନ୍ଦନା ଓ ଦୀପ୍ତି ପରି ନିରିହ ଜୀବନ? ପୁଣି କେତେ ଦିନ ପରେ ନାରୀ ନିର୍ଯ୍ୟାତନାରେ ପଡିବ ପୁର୍ନଛେଦ ? କେତେ ଦିନ ନିରୀହ ବାପାଟିଏ ତା ସମସ୍ତ ପୁଞ୍ଜି ଦାନ କରି ମଧ୍ୟ ହରେଇବ ତାର ଝିଅକୁ? ପୁଣି କେତେ ଦିନ ସ୍ୱପ୍ନ ତୋଳିବାକୁ ଯାଇ ଶ୍ମଶାନ ଯିବ ନାରୀ ? ଏ ତମାମ ପ୍ରଶ୍ନର ଉତ୍ତର ନା ଆମ ପାଖରେ ଅଛି, ନା ଆପଣଙ୍କ ପାଖରେ । ଆଜିର ସ୍ୱତନ୍ତ୍ର ଉପସ୍ଥାପନାକୁ ଏଇଠି ରଖୁଛୁ । ନମସ୍କାର ।
ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ଅନୁସାରେ,୨୦୧୨ ରୁ ୨୦୧୭ ଭିତରେ ରାଜ୍ୟରେ ୨,୯୨୧ ମହିଳାଙ୍କୁ ଯଉତୁକ ପାଇଁ ହତ୍ୟା କରାଯାଇଛି । ନ୍ୟାସନାଲ ଫ୍ୟାମିଲ ହେଲଥ୍ ସର୍ଭେ ରିପୋର୍ଟ ଅନୁସାରେ, ୨୦୧୨ରେ ପ୍ରତି ଲକ୍ଷେରେ ୨.୬ ପ୍ରତିଶତ ଓ ୨୦୧୮ରେ ୨.୩ ପ୍ରତିଶତ ରହିଛି ହତ୍ୟା ମାମଲା । ପୋଲିସ୍ ରେକର୍ଡ ଅନୁସାରେ ୨୦୦୩ ରେ ୪୨୦ଟି ଯଉତୁକ ଜନିତ ହତ୍ୟା କେସ୍ ରେକର୍ଡ ହୋଇଥିବା ବେଳେ ୨୦୦୪ ରେ ୪୫୨ କେସ୍ ରେକର୍ଡ ହୋଇଛି । କିନ୍ତୁ ୨୦୦୫ରେ କେବଳ ୪୫୮ ମୃତ୍ୟୁ କେସ୍ ବିପକ୍ଷରେ ମାତ୍ର ୨୪୦ଟି ଚାର୍ଜସିଟ୍ ଦାଖଲ ହୋଇଛି । ୨୦୦୫ରେ କଟକ ଓ ବାଲେଶ୍ୱରରୁ ୩୮ ଲେଖାଏଁ କେସ୍ ସାମ୍ନାକୁ ଆସିଥିଲା । ସେହିପରି ଖୋର୍ଦ୍ଧାରୁ ୩୧ ମାମଲା ସହ ଭଦ୍ରକ, ଯାଜପୁର ଓ ପୁରୀରୁ ୩୦ଟି ଲେଖାଏଁ ମାମଲା ସାମ୍ନାକୁ ଆସିଥିଲା । ସେପଟେ କେନ୍ଦ୍ରାପଡା ଓ ଗଞ୍ଜାମରୁ ୨୭ ଲେଖାଏଁ ମାମଲା ଜଣା ପଡିଥିଲା ।
ମୃତ୍ୟୁର ବିଭିଷିକାଠାରୁ ନିର୍ଯ୍ୟାତନାର ଯନ୍ତ୍ରଣା ଖୁବ ବେଶୀ । ଯୈ÷ାଉତୁକ ନିର୍ଯ୍ୟାତନା ଏକ ଘରୋଇ ହିଂସା ହୋଇଥିବା ବେଳେ ହଜାର ହଜାର କେସ୍ ସାମ୍ନାକୁ ଆସୁଛି । ପୁଣି ପରିବାରର ସମ୍ମାନ ପାଇଁ ଅନେକ ଘଟଣା ଚାପି ହୋଇ ରହିଯାଉଛି । ୨୦୦୩ରେ ୧,୨୪୦ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୨୦୦୪ ରେ ୧,୨୫୦ ମାମଲା ସାମ୍ନାକୁ ଆସିଛି । ୨୦୦୫ରେ ଏହା ୧୪୮୫କୁ ବୃଦ୍ଧି ପାଇଛି । ପୂର୍ବ ବର୍ଷ ଗୁଡିକ ତୁଳନାରେ ୨୦୦୫ ରେ ୧୮.୪ ପ୍ରତିଶତ ଅଧିକ ଯଉତୁକ ନିର୍ଯ୍ୟାତନା ମାମଲା ସାମ୍ନାକୁ ଆସିଛି ।
ଯୌତୁକ ପ୍ରତିଶେଧ ଅଧିନିୟମ-୧୯୬୧ ଅନୁସାରେ ଦଣ୍ଡ ବିଧାନ ରହିଛି । ଓଡିଶାରେ ‘ଓଡିଶା ଯୌତୁକ ପ୍ରତିଶେଧ ସଂଶୋଧନ ନିୟମ-୧୯୭୬’ ଏବଂ ୨୦୦୬ ରହିଛି । ମାତ୍ର ଏହା ସତ୍ତ୍ୱେ ହଜାର ହଜାର ମାମଲା ସାମ୍ନାକୁ ଆସୁଛି । ଶିକ୍ଷିତ ପରିବାରରେ ଏହା ଅଧିକ ଦେଖିବାକୁ ମିଳୁଛି । ଯେତେ ଦିନ ପର୍ଯ୍ୟନ୍ତ ଆମେ ମାନସିକତାରେ ପରିବର୍ତ୍ତନ ଆଣିପାରିବାନି ସେତେଦିନ ଯାଏଁ ବନ୍ଦନା, ଦୀପ୍ତି ପରି ନିରିହ ଜୀବନ ଅକାଳରେ ଝାଉଁଳି ଯିବେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0