କଟକ: ଗତକାଲି ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଗୁରୁତର ହୋଇ କଟକ ଏସସିବିକୁ ସ୍ଥାନାନ୍ତର ହୋଇଥିବା ଦୁଇ ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଏସସିବି ମେଡକାଲ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଆସିକାର ରଘୁନାଥନଗରପଲ୍ଲୀ ଅଞ୍ଚଳର ସତ୍ୟ ନାୟକ । ସତ୍ୟଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିଲା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହାଛଡ଼ା ଉତ୍ତର ପ୍ରଦେଶ ଲକ୍ଷ୍ନୌର ରିପୁ ଦାମନଙ୍କୁ ଟ୍ରମା ଆଇସିୟୁରେ ରଖାଯାଇଥିବା ସୂଚନା ଦିଆଯାଇଛି। ସୂଚନା ଅନୁସାରେ , ବୁଧବାର ଅପରାହ୍ନ ସମୟରେ ହଠାତ୍ ପ୍ରଚଣ୍ଡ ଶବ୍ଦରେ ଥରିଉଠିଲା ରାଜଧାନୀର କେନ୍ଦ୍ରସ୍ଥଳୀ। ରାଜଭବନ ଠାରୁ ସଚିବାଳୟ, କ୍ୟାପିଟାଲ ହସ୍ପିଟାଲ ଆଦି ଅଞ୍ଚଳ ବି। ବିସ୍ଫୋରଣ ଶବ୍ଦ ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭାଯାଇଥିଲା। ହେଲେ ଅଳ୍ପ କେଇ ମୁହୂର୍ତ ପରେ ଜଣାପଡିଲା, ରାଜଭବନ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଇଣ୍ଡିଆନ୍ ପେଟ୍ରୋଲ ପମ୍ପରୁ ହୁତୁହୁତୁ ହୋଇ ୨୦୦ ଫୁଟ ଉଚ୍ଚ ଯାଏ ନିଆଁ ଉପରକୁ ଉଠି ଜଳୁଛି। କିଛି ଲୋକ କ୍ଷତବିକ୍ଷତ ହୋଇ ରାସ୍ତାରେ ଦୌଡ଼ିବାରେ ଲାଗିଥିଲେ। ରାସ୍ତାରେ ଲୋକଙ୍କ ଶରୀରର ମାଂସ ଖଣ୍ଡ ଛିଟିକି ପଡ଼ିଥିଲା। କାହା ହାତରୁ ରକ୍ତ ଝରୁଥିଲା ତ ଆଉ କିଏ ଗୁରୁତର ଅବସ୍ଥାରେ ଥିଲେ। ପେଟ୍ରୋଲ ପମ୍ପରେ ଥିବା ଏଲପିଜି ଟାଙ୍କି ବିସ୍ଫୋରଣରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ଜଣ ଅତି ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିଲେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0