ଭୁବନେଶ୍ୱର : ଫିସିଙ୍ଗ କ୍ୟାଟ୍ (ମାଛରଙ୍କା ବିରାଡ଼ି)କୁ ଭାରତର ସର୍ବ ପୁରାତନ ରାମସାର୍ ସାଇଟ୍ ଚିଲିକାର ଆମ୍ବାସଡର କରାଯାଇଛି। ଚିଲିକା ଉନ୍ନୟନ କର୍ତୃପକ୍ଷ (ସିଡିଏ) ଦ୍ବାରା ଆୟୋଜିତ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏହା ଘୋଷଣା କରାଯାଇଛି। ଏସିଆର ସର୍ବବୃହତ୍ ଲୁଣିହ୍ରଦ ଚିଲିକାର ଆମ୍ବାସଡର ବିବେଚିତ ଏହି ବଣୁଆ ବିଲେଇ ସମଗ୍ର ବିଶ୍ବରେ ଲୁପ୍ତପ୍ରାୟ ହୋଇଯାଇଥିବା ବେଳେ ଚିଲିକାର ଆଖପାଖରେ ଏମାନଙ୍କୁ ଦେଖିବାକୁ ମିଳେ। ବିଶେଷକରି ଉତ୍ତର ଓ ଉତ୍ତରପୂର୍ବ ଭାଗରେ ଏମାନେ ଦେଖାଯାଆନ୍ତି ବୋଲି ଫିସିଙ୍ଗ କ୍ୟାଟ୍ ପ୍ରୋଜେକ୍ଟ (ଟିଏଫସିପି) ଓ ଇଣ୍ଡିଆ ୱିଙ୍ଗ୍ ଅଫ୍ ଫିସିଙ୍ଗ୍ କ୍ୟାଟ୍ କଞ୍ଜରଭେସନ ଆଲିଆନ୍ସ ସହଯୋଗରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣା ପଡ଼ିଛି। ସିଡିଏ ଓ ଫିସିଙ୍ଗ୍ କ୍ୟା୍ଟ ପ୍ରୋଜେକ୍ଟ ପକ୍ଷରୁ ନିକଟ ଭବିଷ୍ୟତରେ ଚିଲିକାରେ ଫିସିଙ୍ଗ୍ କ୍ୟାଟ୍ଙ୍କ ସଂଖ୍ୟା ଗଣନା କରାଯିବା ସହ ସେମାନଙ୍କ ସଂରକ୍ଷଣ ଦିଗରେ ଧ୍ୟାନ ଦିଆଯିବ। ୨୦୨୧ ସୁଦ୍ଧା ପ୍ରଥମ ଫିସିଙ୍ଗ କ୍ୟାଟ୍ଙ୍କ ସଂଖ୍ୟା ଜଣାପଡ଼ିବ। ଫିସିଙ୍ଗ କ୍ୟାଟ୍ ସିଡ୍ୟୁଲ ୧ ପ୍ରଜାତିର ପ୍ରାଣୀ ହୋଇଥିବା ବେଳେ ବାଘ ଓ ହାତୀଙ୍କ ଭଳି ସେମାନଙ୍କ ସଂରକ୍ଷଣ ଜରୁରୀ ହୋଇପଡ଼ିଛି। ଲୁପ୍ତପ୍ରାୟ ଫିସିଙ୍ଗ କ୍ୟାଟ୍ର ସଂରକ୍ଷଣ ଜରୁରୀ ହୋଇପଡ଼ିଥିବାରୁ ଏବଂ ଶତାଧିକ ପ୍ରଜାତିର ପକ୍ଷୀ ଶୀତ ଦିନେ ଏଠାକୁ ଆସୁଥିବାରୁ ପଙ୍କୁଆ ଭୂମି ଉପରେ ପରିଚାଳନା କର୍ତୃପକ୍ଷ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ଟିଏଫସିପିର ସହ ପ୍ରତିଷ୍ଠାତା ପାର୍ଥ ଦେ କହିଛନ୍ତି। ଏଥିସହ ସିଡିଏ ପକ୍ଷରୁ ‘ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ’ ସହଯୋଗରେ ପକ୍ଷୀ, ଇରାୱାଡ଼ି ଡଲଫିନ୍, ଫିସିଙ୍ଗ୍ କ୍ୟାଟ୍ ଓ ଓଧମାନଙ୍କ ପାଇଁ ଉଦ୍ଧାର ଓ ପୁନର୍ବାସ କେନ୍ଦ୍ର ଚିଲିକା ମଧ୍ୟରେ ଖୋଲାଯିବ ବୋଲି ସୂଚନା ଦିଆଯାଇଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0