ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକର ବହୁ ପଞ୍ଚାୟତରେ ଏବେ ଚକଡ଼ା ପୋକ ଆତଙ୍କ ସୃଷ୍ଟି କରିଛନ୍ତି। ଧାନ ଫସଲରେ ଏହି ପୋକ ଲାଗିବା ପରେ ହଳଦିଆ ପଡ଼ି ଗଛ ମୂଳରୁ ଗଛ ମରି ଯାଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଏପରିସ୍ଥଳେ ନିଶ୍ଚିନ୍ତକୋଇଲି କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୋକ ଲାଗିବା ପରେ ଧାନଗଛଗୁଡ଼ିକ ହଳଦିଆ ହେବା ସହ ମୂଳରୁ ମରି ଯାଉଛି। ସମ୍ପ୍ରତି ଧାନଗଛ ଗର୍ଭଧାରଣ କରିବାକୁ ଆରମ୍ଭ କରିଛି। ଏଭଳି ସମୟରେ ଗଛରେ ଚକଡ଼ା ପୋକ ଲାଗିବାରୁ ଚାଷୀ ମୁଣ୍ଡରେ ଏକପ୍ରକାର ଚଡ଼କ ପଡ଼ି ଯାଇଛି। ଏ ନେଇ ଚାଷୀମାନେ ବାରମ୍ବାର ନିଶ୍ଚିନ୍ତକୋଇଲି କୃଷି ବିଭାଗ କାର୍ଯ୍ୟାଳୟକୁ ଯାଉଥିଲେ ମଧ୍ୟ କର୍ମଚାରୀଙ୍କୁ ନ ପାଇ ନିରାଶରେ ଫେରୁଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷରେ ବ୍ଲକରେ ନିଯୁକ୍ତି ପାଇଥିବା କୃଷି ଅଧିକାରୀଙ୍କୁ ଲୋକମାନେ ଦେଖିବାକୁ ପାଉ ନ ଥିବା ଏବଂ ଫୋନ କଲେ ସେ ଉଠାଉ ନ ଥିବା ଅଭିଯୋଗ ହେଉଛି। ଅଧିକାରୀ ନ ଆସିବା ସୁଯୋଗରେ ଅନ୍ୟ କର୍ମଚାରୀଙ୍କ ମଧ୍ୟ ଦେଖା ମିଳୁ ନ ଥିବା ଚାଷୀମାନେ କହିଛନ୍ତି। ପ୍ରଶାସନ ତରଫରୁ ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କରାଯିବା ସହ ଚକଡ଼ା ପୋକର ପ୍ରତିଷେଧକ ଔଷଧ ଯୋଗାଇ ଦେବାକୁ ଦାବି ହେଉଛି। କଟକ ଜିଲ୍ଲାପାଳ ଓ କୃଷି ବିଭାଗ ସଚିବ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବିହିତ ପଦକ୍ଷେପ ନେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0