ଭୁବନେଶ୍ୱର : ଏଣିକି ଆଉ ଚଳିବନି ଦାଦାଗିରି । ଦାଦାବଟି ମାଗିପାରିବେନି କୌଣସି ଦାଦା । ଦାଦାଙ୍କୁ ଆଉ ମିଳିବନି ନିସ୍ତାର । କାରଣ ଆରମ୍ଭ ହେବାକୁ ଯାଉଛି ‘ମିଶନ ଦାଦା’ । କମିଶନରେଟ୍ ପୁଲିସ୍ ତରଫରୁ ଦାଦାଙ୍କୁ ସାବାଡ କରିବାକୁ ହୋଇଛି ପ୍ଲାନ । ଭୁବନେଶ୍ୱର ସମେତ ସହର ଉପକଣ୍ଠରେ ଦାଦାମାନଙ୍କ ଉତ୍ପାତ ଜନସାଧାରଣଙ୍କୁ ଅତିଷ୍ଠ କଲାଣି । ଏବେ ଏମାନଙ୍କୁ ଖୋଜିକି ସାବାଡ କରିବାକୁ ଅଣ୍ଟା ଭିଡିଛି ପୁଲିସ୍ । ଏନେଇ ସମସ୍ତ ଇନସପେକ୍ଟରମାନଙ୍କୁ ନିର୍ଦେଶ ଦେଇଛନ୍ତି ପୁଲିସ୍ କମିସନର ସୁଧାଂଶୁ ଷଡଙ୍ଗୀ । ପ୍ରତ୍ୟେକ ଇନସପେକ୍ଟର ନିଜ ନିଜ ଥାନାରେ ହୋଇଥିବା ଏତଲାଗୁଡିକୁ ତର୍ଜମା କରିବେ ।

ଦାଦାବଟି ଆଦାୟ କରୁଥିବା ଦାଦାଙ୍କୁ ଚିହ୍ନଟ କରିବେ । ଏଥିପାଇଁ ଇନସପେକ୍ଟରମାନେ ନିଜର ଗୁଇନ୍ଦା ମଧ୍ୟ ବ୍ୟବହାର କରିପାରିବେ । ସମସ୍ତଙ୍କୁ ଚିହ୍ନଟ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ପୁରୁଣା ଏତଲାଗୁଡିକର ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କର୍ତ୍ତୁପକ୍ଷଙ୍କୁ ଜଣାଇବା ପାଇଁ ନିର୍ଦେଶ ଦେଇଛନ୍ତି କମିସନର । ନିୟମିତ ବ୍ୟବଧାନରେ ଏହି ମିସନର ସମୀକ୍ଷା କରାଯିବ । ମିସନ ସମୟରେ ଅଭିଯୋଗ କମୁଛି କି ନାହିଁ ଦେଖାଯିବା ସହ ସମ୍ପୃକ୍ତ ଅଞ୍ଚଲର ପରିସ୍ଥିତି ନେଇ ତର୍ଜମା କରାଯିବ ।

ମିଶନ ଦାଦା ଅପରେସନ ବାବଦରେ ଇନସପେକ୍ଟରମାନେ ସତର୍କ ରହିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିର୍ଦେଶ ଦେଇଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ । ବର୍ତ୍ତମାନ ସହିଦନଗର ଥାନା ସମେତ ବାଲିପାଟଣା, ବାଲିଅନ୍ତା, ଧଉଳି, ଖଣ୍ଡଗିରି, ତମାଣ୍ଡୋ ମଞ୍ଚେଶ୍ୱର ଥାନାଗୁଡିକରେ ଦାଦାବଟିକୁ ନେଇ ୩ ହଜାରରୁ ଉଦ୍ଧ୍ୱର୍ ମାମଲା ରହିଛି । ଭୟରେ ଅନେକ ଅଭିଯୋଗ ଥାନାକୁ ଆସିନଥିବାରୁ ବାସ୍ତବ ଘଟଣା ୧୦ ହଜାରରୁ ଉଦ୍ଧ୍ୱର୍ ହେବ ବୋଲି ଆଶଙ୍କା କରାଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0