ଭୁବନେଶ୍ୱର : କୋଲ୍ ସ୍କାମ୍ରେ ଦିଲୀପ ରାୟଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ୩ ବର୍ଷର ଜେଲ୍ ଦଣ୍ଡାଦେଶକୁ ସସ୍ପେଣ୍ଡ୍ କଲେ ଦିଲ୍ଲୀ ହାଇକୋର୍ଟ। ଏନେଇ ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି ।
ବହୁ ଚର୍ଚ୍ଚିତ ୧୯୯୯ ଝାଡ଼ଖଣ୍ଡ କୋଲ୍ ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ସୋମବାର ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଅପରାଧିକ ଷଡ଼ଯନ୍ତ୍ର ସମେତ ଅନ୍ୟ ଧାରାରେ ଦିଲୀପଙ୍କ ସମେତ ଦୋଷୀ ସାବ୍ୟସ୍ତ ଅନ୍ୟ ତିନିଜଣଙ୍କୁ ମଧ୍ୟ ତିନି ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ। ତେବେ ଦଣ୍ଡାଦେଶର ଠିକ୍ ପରେ ପରେ ଦିଲୀପଙ୍କ ସମେତ ସମସ୍ତ ୪ ଜଣଙ୍କୁ ବେଲ୍ ମିଳିଥିଲା।
ଦିଲୀପଙ୍କ ସହ ଅନ୍ୟ ତିନିଜଣ ତଥା ତତ୍କାଳୀନ କୋଇଲା ସଚିବ ପ୍ରଦୀପ ବାନାର୍ଜୀ, ବରିଷ୍ଠ ଅଧିକାରୀ ନିତ୍ୟାନନ୍ଦ ଗୌତମ ଓ କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ମଧ୍ୟ ତିନିବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇ ଥିଲା। ଏପରିକି ଦିଲୀପଙ୍କ ସମେତ ସମସ୍ତ ତିନି ଦୋଷୀଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଏବଂ କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡକୁ ୬୦ଲକ୍ଷ ଓ କାଷ୍ଟ୍ରନ୍ ମାଇନିଂକୁ ୧୦ ଲକ୍ଷ ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦେଇ ଥିଲେ କୋର୍ଟ। ତେବେ ଦଣ୍ଡବିଧାନ ପରେ ପରେ ଦିଲୀପଙ୍କ ସମେତ ସମସ୍ତ ଦୋଷୀଙ୍କୁ ଗତକାଲି ଜାମିନ୍ ମିଳି ଥିଲା। ଅପରପକ୍ଷେ ଏହି ରାୟ ବିରୋଧରେ ଦିଲୀପ ଦିଲ୍ଲୀ ହାଇକୋର୍ଟ ଯାଇଥିବା କୁହାଯାଉଛି।
କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାର ଅମଳରେ କୋଲ୍ ବ୍ଲକ୍ ଆବଣ୍ଟନରେ ଦୁର୍ନୀତିର ଅଭିଯୋଗ ଆସିଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ବି ସେତେବେଳେ ଏନଡିଏର ଅଂଶୀଦାର ଥିଲା ଏବଂ ଏହି ଦଳର ସାଂସଦ ଦିଲୀପ ଥିଲେ କୋଇଲା ରାଷ୍ଟ୍ରମନ୍ତ୍ରୀ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0