ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ଏହି ସମୟରେ ପୁରୀ ଜିଲ୍ଲାକୁ ବୁଲି ଆସୁଥିବା ପର୍ଯ୍ୟଟକମାନେ ଯେଭଳି ସକାରାତ୍ମକ ଅନୁଭୂତି ନେଇ ଫେରିବେ, ସେ ଦିଗକୁ ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ। ଅନଲାଇନରେ ଟିକେଟ ବୁକିଂ ସହ ଠକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଛି। ପୁରୀ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏ ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଚିଲିକାରେ ଚାଲୁଥିବା ଡଙ୍ଗାର ପଞ୍ଜିକରଣ, ନବୀକରଣ ଓ ମୋଟର ଯାଞ୍ଚ ଆଦି ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଡଙ୍ଗାରେ ଲାଇଫ ଜ୍ୟାକେଟ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟଟକମାନେ ସାତପଡ଼ାରେ ଚିଲିକା ବୁଲିବା ବେଳେ ଯେପରି ଲାଇଫ ଜ୍ୟାକେଟ ପରିଧାନ କରିବେ, ସେ ଉପରେ ନଜର ରଖିବାକୁ କୁହାଯାଇଛି। ବୁଲି ଆସୁଥିବା ପର୍ଯ୍ୟଟକମାନେ ଅନଲାଇନରେ ଡଙ୍ଗା ବୁକିଂ ଓ ଦେୟ ପୈଠ କରିବା ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏଥିପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏକ ସ୍ବତନ୍ତ୍ର ମୋବାଇଲ ଆପ ପ୍ରଚଳନ କରିବ। ସଂପୃକ୍ତ ଡଙ୍ଗା ମାଲିକ ଓ ଅଂଶୀଦାରମାନଙ୍କ ମତାମତ ନିଆଯାଇ ମୋବାଇଲ ଆପ୍ ବିକଶିତ କରାଯିବ। ଏହାଦ୍ବାରା ସବୁ ସଂଘକୁ ସମାନ ବୁକିଂ ସୁବିଧା ମିଳିବ ବୋଲି ଜିଲ୍ଲାପାଳ କହିଥିଲେ। ସେହିଭଳି ନକଲି ମୋତି କାରବାର କରୁଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଆବଶ୍ୟକ ସ୍ଥଳେ ପ୍ରଶାସନ ନିଜ ଆଡୁ ମାମଲା ରୁଜୁ କରିବ ବୋଲି ଜିଲ୍ଲାପାଳ କହିଥିଲେ। ପର୍ଯ୍ୟଟକମାନଙ୍କୁ ଉତ୍ତମ ସେବା ଓ ସୁରକ୍ଷା ଯୋଗାଇ ଦେଲେ ପର୍ୟ୍ୟଟନ ଶିଳ୍ପ ବିକାଶ ହେବ ବୋଲି ସେ କହିଥିଲେ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0