ପୁରୀ : ଗତକାଲି ପୁରୀ ଜିଲ୍ଲା ବାସେଳି ସାହି ଥାନା ପୁଲିସ୍ ହେପାଜତରେ ଥିବା ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ବିବାଦ ଘନୀଭୂତ ହେବାରେ ଲାଗିଛି । ଏ ଘଟଣାକୁ ନେଇ ପୁରୀ ହସ୍ପିଟାଲ୍ ସମ୍ମୁଖରେ ପୁଲିସ୍ ଓ ଜନତା ମୁହାଁମୁହିଁ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ତେଣୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ପୁଲିସ୍ ମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ପୁରୀ ଏସ୍ପି ଅଖିଳେଶ୍ୱର ସିଂହ ଏହାକୁ ଖଣ୍ଡନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଏସ୍ପି କହିଛନ୍ତି, କେ. ରମେଶ ନାମକ ବ୍ୟକ୍ତି ମାରଣାସ୍ତ୍ର ଧରି ବୁଲୁଥିବା ଖବର ପାଇଥିଲା ପୁଲିସ୍ । ତାଙ୍କୁ କାବୁ କରିବାକୁ ଯିବା ବେଳେ ପୁଲିସ୍ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା । ଫଳରେ ଅଭିଯୁକ୍ତ ଆହତ ହୋଇଥିଲେ। ତେଣୁ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ୍ ମାଡ଼ରେ କେ. ରମେଶଙ୍କ ମୃତ୍ୟୁ ଘଟିଛି ବୋଲି ଯାହା କୁହାଯାଉଛି, ତାହା ସତ ନୁହେଁ।
ଏସ୍ପି କହିଛନ୍ତି, ହାଜତମୃତ୍ୟୁ ପାଇଁ ଯେଉଁ ଗାଉଡ୍ଲାଇନ୍ ରହିଛି, ସେହି ଅନୁସାରେ ଘଟଣାର ତଦନ୍ତ ହେବ। ଏନ୍ଏଚ୍ଆର୍ସିଙ୍କ ଗାଇଡଲାଇନ୍ ଭିତରେ ତଦନ୍ତ କରାଯିବ। ଡିଜିପି ଅଭୟ କହିଛନ୍ତି, ଏଭଳି ମୃତ୍ୟୁର ତଦନ୍ତ ନେଇ ଏନ୍ଏଚ୍ଆର୍ସିଙ୍କ ଗାଇଡ୍ଲାଇନ୍ ରହିଛି। ସେହି ଅନୁସାରେ ଘଟଣାର ତଦନ୍ତ ହେବ। ଅନ୍ୟପକ୍ଷରେ ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ପୁଲିସ୍ ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକଙ୍କ ସହିତ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଖବର ଲେଖାଯିବା ସୁଦ୍ଧା ଯୁବକଙ୍କ ମୃତଦେହ ବର୍ତ୍ତମାନ ପୁରୀ ମେଡିକାଲର ପୋଷ୍ଟମର୍ଟମ ସେଣ୍ଟରରେ ରହିଛି। ସେଣ୍ଟର ସମ୍ମୁଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0