ଜେନିଭା: ୮ଟି ୟୁରୋପୀୟ ଦେଶରେ ଗୁଣସୂତ୍ର ପରିବର୍ତ୍ତିତ ବା ନୂଆ ‘ଷ୍ଟ୍ରେନ’ର କରୋନାଭାଇରସ ଚିହ୍ନଟ କରାଯାଇଥିବା କଥା ୟୁରୋପ ଦାୟିତ୍ୱରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆଞ୍ଚଳିକ ନିର୍ଦେଶକ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରିସ୍ଥିତିକୁ ଅନୁଧ୍ୟାନ କରୁଛି ବୋଲି ମଧ୍ୟ ସେ କହିଛନ୍ତି। ସତର୍କତାମୂଳକ ପଦକ୍ଷେପ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରି ୟୁରୋପ ପାଇଁ ନିଯୁକ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆଞ୍ଚଳିକ ନିର୍ଦେଶକ ହାନସ କ୍ଲଗ କହିଛନ୍ତି, ଏହି ନୂଆ ‘ଷ୍ଟ୍ରେନ’ର କରୋନାଭାଇରସ ତରୁଣ ବୟସବର୍ଗଙ୍କ ମଧ୍ୟରେ ବ୍ୟାପୁଥିବା ପରି ମନେହେଉଛି। ହାନ୍ସ କ୍ଲଗ ଟୁଇଟ କରି କହିଛନ୍ତି, ୟୁରୋପ ଅଞ୍ଚଳର ୮ଟି ଦେଶ ସମ୍ପ୍ରତି କୋଭିଡ୍-୧୯ର ପରିବର୍ତ୍ତିତ ଗୁଣସୂତ୍ରଧାରୀ ‘ଭିଓସି-୨୦୨୦୧୨/୦୧’ ଭୂତାଣୁ ଚିହ୍ନଟ କରିଛନ୍ତି। ତେଣୁ ଲାଗୁ ହୋଇଥିବା ସତର୍କତାମୂଳକ ପଦକ୍ଷେପ ଯଥା:- ସାମାଜିକ ଦୂରତ୍ୱ, ମାସ୍କ୍ ପରିଧାନ ଆଦିକୁ ଆହୁରି ସୁଦୃଢ଼ କରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରିସ୍ଥିତିକୁ ଅନୁଧ୍ୟାନ କରୁଛି ଏବଂ ଏ ସଂକ୍ରାନ୍ତ ସଦ୍ୟ ତଥ୍ୟ ପ୍ରଦାନ କରି ଚାଲିବ। ଗତ ସପ୍ତାହରେ ପ୍ରଥମ କରି ଇଂଲଣ୍ଡ୍ରେ ଏହି ନୂତନ ‘ଷ୍ଟ୍ରେନ୍’ର କରୋନାଭାଇରସ୍ ଚିହ୍ନଟ ହୋଇଥିଲା। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ‘ସାର୍ସ-ସିଓ ଭି-୨’ ପ୍ରଜାତି ଭୂତାଣୁ ଠାରୁ ଏହା ଅଧିକ ସଂକ୍ରମଣଶୀଳ। ନୂଆ ‘ଷ୍ଟ୍ରେନ୍’ର କରୋନାଭାଇରସ୍ ଚିହ୍ନଟ ହେବା ପରେ ବିଶ୍ୱର କେତେକ ଦେଶ ବିଦେଶଯାତ୍ରା ଉପରେ କଟକଣା ଲାଗୁ କରିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0