ନୂଆଦିଲ୍ଲୀ: ଆୟକର ବିଭାଗ ୱେବସାଟରେ ତ୍ରୁଟି ଦେଖିବାକୁ ମିଳିଛି । ଡିସେମ୍ବର ୩୧ ଆୟକର ଦାଖଲ କରିବାର ଶେଷ ତାରିଖ ହୋଇଥିବାରୁ କରଦାତାଙ୍କର ପ୍ରବଳ ଭିଡ ଦେଖାଦେଇଛି । ଫଳରେ ଟ୍ୟାକ୍ସ ଦାଖଲ ପାଇଁ ଉର୍ଦ୍ଧିଷ୍ଟ ସାଇଟ୍ ମଧ୍ୟ ଅଚଳ ହୋଇଯାଇଛି ।
ୱେବସାଇଟରେ କର ଦାଖଲ ପାଇଁ ସଂଯୋଗ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଟିକସଦାତାମାନେ ଟ୍ୱିଟ୍ କରି ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଧାର୍ୟ୍ୟ ତାରିଖକୁ ବଢାଇବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଛନ୍ତି । ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ, ଯେଉଁମାନେ ନିଜକୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୋଲି ଦାବି କରୁଛନ୍ତି, ସେମାନେ ସକାଳ ୧୦ ଟା ରୁ କେବଳ ଗୋଟିଏ କିମ୍ବା ଦୁଇଟି ରିଟର୍ନ ଫାଇଲ୍ କରିବାରେ ସକ୍ଷମ ହୋଇଥିବାବେଳେ ଅନେକ ସାଇଟ୍ ଖୋଲୁ ନଥିବା ଅଭିଯୋଗ କରିଛନ୍ତି । ଆୟକର ବିଭାଗ ଏଫୱାଇ ୨୦୧୯-୨୦ ମସିହାର ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ଇମେଲ ଏବଂ ଏସଏମଏସ ତଥା ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଟିକସଦାତାଙ୍କୁ ଏକାଧିକ ଥର ଅବଗତ କରାଇଥିଲେ । ସାଧାରଣତଃ ଟ୍ୟାକ୍ସ ରିଟର୍ଣ୍ଣ ପ୍ରତିବର୍ଷ ୩୧ ଜୁଲାଇ ସୁଦ୍ଧା ଦାଖଲ କରାଯାଏ । ତେବେ ମହାମାରୀ ହେତୁ ଶେଷ ତାରିଖକୁ ଚଳିତ ବର୍ଷ ୩୧ ଡିସେମ୍ବର ୨୦୨୦ କୁ ବୃଦ୍ଧି କରାଯାଇଛି । ତେବେ ୨୫ ଡିସେମ୍ବର ୨୦୨୦ ସୁଦ୍ଧା ପ୍ରାୟ ୪.୦୬ କୋଟି ଆୟ କର ଫେରସ୍ତ ହୋଇଥିବା ସୂଚନା ରହିଛି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ଭାରତୀୟ ଆୟ କର ବିଭାଗ । ତେବେ ବର୍ତ୍ତମାନ ମଧ୍ୟ ଅନେକ ବ୍ୟକ୍ତି ଆୟ କର ଫେରସ୍ତ ସମୟ ସୀମା ବୃଦ୍ଧି କରିବା ପାଇଁ ସାମଜିକ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0