ସମ୍ବଲପୁର : ଭିମସାର କୋଭିଡ ହସ୍ପିଟାଲରେ ମୃତ୍ୟୁ ସଂଖ୍ୟା ଥମିବାର ନାଁ ଧରୁନି। ଗୋଟିଏ ଦିନରେ କୋଭିଡ ହସ୍ପିଟାଲରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକି ଭିମସାରରେ କୋଭିଡ ହସ୍ପିଟାଲ ହେବା ପରଠାରୁ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ବୋଲି ଜଣାପଡ଼ିଛି। ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ହୋଇଥିବା ୭ ଜଣଙ୍କ ଶବ ରାଜଘାଟରେ ଦାହ କରାଯାଇଥିବା ସମୟରେ ଅନ୍ୟ ଜଣଙ୍କୁ କବରସ୍ଥାନରେ ପୋତା ଯାଇଥିବା ଜଣାପଡ଼ିଛି। ସନ୍ଧ୍ୟାରେ ମୃତ୍ୟୁ ଘଟିଥିବା ଅନ୍ୟ ୨ ଜଣଙ୍କ ଶବ ଗୁରୁବାର ଦାହ କରାଯିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ବୁଧବାରର ଘଟଣାକୁ ମିଶାଇ ୮ ଦିନରେ ଏହି କୋଭିଡ ହସ୍ପିଟାଲରେ ୪୬ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ସମୟରେ ୨ ମାସରେ ଏହି ହସ୍ପିଟାଲରେ କରୋନା ୧୦୨ ଜଣଙ୍କ ମୁଣ୍ଡ ନେଲାଣି। ଭିମସାର କୋଭିଡ ହସ୍ପିଟାଲରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଥିବା ସମୟରେ ଆଉ ଗୋଟିଏ ପଟେ ଏବେ ରୋଗୀ ସଂଖ୍ୟା ବି ବଢ଼ି ଚାଲିଛି। ବୁଧବାର ଡାକ୍ତରଖାନାରେ ମୋଟ ୧୦୬ ଜଣ ରୋଗୀ ଥିବା ସମୟରେ ଆଇସିୟୁର ସମସ୍ତ ଶଯ୍ୟା ପୂରଣ ରହିଥିବା ଜଣାପଡ଼ିଛି। ଗତ କିଛି ଦିନରେ ଲଗାତାର ଭାବେ ରୋଗୀ ଭର୍ତ୍ତି ବୃଦ୍ଧି ପାଉଥିବାରୁ ଏଭଳି ସ୍ଥିତି ଲାଗି ରହିଲେ ରୋଗୀଙ୍କୁ ସାଧାରଣ ୱାର୍ଡ ପରେ ତଳେ ଗଡ଼ାଇବା ଘଟଣା ମଧ୍ୟ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି। ଏହି ସମସ୍ୟାର ସମାଧାନ ପାଇଁ ଭିମ୍ସାର କର୍ତ୍ତୃପକ୍ଷ ଏହି କୋଭିଡ୍ ହସ୍ପିଟାଲର ଶଯ୍ୟା ସଂଖ୍ୟା ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠି ଲେଖି ଅନୁମତି ମାଗିଛନ୍ତି। କିନ୍ତୁ ରାଜ୍ୟ ସରକାର ଏନେଇ କୌଣସି ନିଷ୍ପତ୍ତି ନେଇନଥିବା ଜଣାପଡ଼ିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0