ନୂଆଦିଲ୍ଲୀ: ଜାନୁଆରି ୮ ତାରିଖରୁ ଆଂଶିକଭାବେ ଇଂଲଣ୍ଡ ଓ ଭାରତ ମଧ୍ୟରେ ପୁଣି ବିମାନ ଚଳାଚଳ ଆରମ୍ଭ କରିବାକୁ ଯାଉଥିବା ବେଳେ ଶନିବାର ଦିନ କେନ୍ଦ୍ର ସରକାର ସମ୍ପୃକ୍ତ ବିମାନଯାତ୍ରୀମାନଙ୍କ ଲାଗି ‘ଏସଓପି’ ଜାରି କରିଛନ୍ତି। ଇଂଲଣ୍ଡରୁ ସଂକ୍ରମିତ ହେଉଥିବା ନୂତନ କୋଭିଡ୧୯ ‘ଷ୍ଟ୍ରେନ’ ଦେଶରେ ବ୍ୟାପୁଥିବାରୁ ସରକାର ଇଂଲଣ୍ଡକୁ ବିମାନ ଚଳାଚଳ ସଂଖ୍ୟା ସୀମିତ କରିବା ସହ ସେଠାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ନିମନ୍ତେ ନେଗେଟିଭ କୋଭିଡ ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି। ବିମାନ ଆରୋହଣ ପୂର୍ବରୁ ଯାତ୍ରୀମାନେ ଯେମିତି କରୋନାଭାଇରସ ନେଗେଟିଭ ଟେଷ୍ଟ ରିପୋର୍ଟ ଦାଖଲ କରନ୍ତି ସେ ବିଷୟରେ ଏୟାରଲାଇନଗୁଡ଼ିକ ସୁନିଶ୍ଚିତ ହେବା ଆବଶ୍ୟକ। ଏହାଛଡ଼ା, ଇଂଲଣ୍ଡରୁ ଆସୁଥିବା ସବୁ ଯାତ୍ରୀ ଭାରତୀୟ ବିମାନ ବନ୍ଦରମାନଙ୍କରେ ପହଞ୍ଚିବା ପରେ ନିଜ ଖର୍ଚ୍ଚରେ ଆରଟି-ପିସିଆର ପରୀକ୍ଷା କରାଇବେ ବୋଲି ‘ଏସଓପି’ରେ ଉଲ୍ଲେଖ ଅଛି। କରୋନାଭାଇରସ ନେଗେଟିଭ ରିପୋର୍ଟ ଆସିଥିବା ଯାତ୍ରୀଙ୍କୁ ମଧ୍ୟ ୧୪ ଦିନିଆ ହୋମ କ୍ୱାରେଣ୍ଟିନରେ ରହିବା ଲାଗି ପରାମର୍ଶ ଦିଆଯିବ। ଏହି ‘ଏସଓପି’ ଜାନୁଆରି ୩୦ ତାରିଖ ପର୍ୟ୍ୟନ୍ତ ବଳବତ୍ତର କିଂବା ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ବଳବତ୍ତର ରହିବ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0