ଭୁବନେଶ୍ବର : ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଟିକାକରଣ ପାଇଁ ଉଦ୍ଦିଷ୍ଟ ଟିକାଦାନ କେନ୍ଦ୍ରଗୁଡ଼ିକୁ ଆସନ୍ତା ୮ତାରିଖ ସୁଦ୍ଧା ଚୂଡ଼ାନ୍ତ କରିବା ଲାଗି ସବୁ ଜିଲ୍ଲାପାଳ ଓ ନଗର ନିଗମକୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ଟିକାଦାନ କେନ୍ଦ୍ରରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ ନିରୀକ୍ଷଣ ଗୃହ ରହିବା ନିହାତି ଆବଶ୍ୟକ ବୋଲି ନିର୍ଦେଶ ଦେଇଛନ୍ତି। ଟିକାଦାନ ପାଇଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ଉପରସ୍ତରର ଡାକ୍ତରଖାନାଗୁଡ଼ିକ ଚିହ୍ନଟ କରିବାକୁ କୁହାଯାଇଛି। ଏହାସହ ବ୍ଲକ ରେ ଥିବା ଜନସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାଦାନ କେନ୍ଦ୍ର ଲାଗି ସ୍ଥାନ ଚିହ୍ନଟ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସେହିପରି ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ, ଘରୋଇ ହସ୍ପିଟାଲରେ ମଧ୍ୟ ଟିକାଦାନ କେନ୍ଦ୍ର ପାଇଁ ସ୍ଥାନ ଚିହ୍ନଟ ହେବ। ବ୍ଲକସ୍ତରୀୟ ଓ ପୌରସ୍ତରୀୟ ଟାସ୍କଫୋର୍ସଗୁଡ଼ିକ ଏସବୁ ଟିକାଦାନ କେନ୍ଦ୍ର ଗୁଡ଼ିକର ପର୍ୟ୍ୟବେକ୍ଷଣ ପରେ ଜିଲ୍ଲା ପ୍ରଶାସନକୁ ଚୂଡ଼ାନ୍ତ ତାଲିକା ପଠାଇବେ। ସମସ୍ତ ଟିକାଦାନ କେନ୍ଦ୍ର ଓ ଟିକାଦାନକାରୀଙ୍କ ସଂପର୍କରେ କୋ-ୱିନ ପୋର୍ଟାଲରେ ଅପଲୋଡ କରିବା ଲାଗି କୁହାଯାଇଛି। ସେହିପରି ପ୍ରତି ଟିକାଦାନ କେନ୍ଦ୍ରରେ ଟିକାଦାନକାରୀଙ୍କ ସମେତ ଏକ ୫ଜଣିଆ ଟିମ ଚିହ୍ନଟ କରାଯିବ। ଟିକାଦାନ ପରେ ଅଧଘଣ୍ଟା ପର୍ୟ୍ୟନ୍ତ ନିରୀକ୍ଷଣରେ ରହିବାର ନିର୍ଦେଶ ରହିଛି। ତେଣୁ ଏହି ସମୟରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ତାହାର ପରିଚାଳନା ପାଇଁ ପ୍ରତି ଟିକାଦାନ କେନ୍ଦ୍ରରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ନିଯୁକ୍ତ କରାଯିବ। ଏହାସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ ଓ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦେଶ ଦିଆଯାଇଛି।



Visitors Today : 2
Total Visitors : 130441
Total Views : 9891974
Visitors Online Now : 0