କେନ୍ଦୁଝର: ଖଣିଜିଲ୍ଲା କେନ୍ଦୁଝରର ଖଣିଜ ସହର ବଡ଼ବିଲ l କହିବାକୁ ଗଲେ ଓଡ଼ିଶାର ଭାତହାଣ୍ଡି। ନିକଟ ଅତୀତରେ ସ୍ୱଚ୍ଛ ସର୍ବେକ୍ଷଣରେ ପୌରପାଳିକା ଦ୍ଵାଦଶ ସ୍ଥାନ ଅଧିକାର କରିଛି। ଏଠାରେ ଚାଲୁଛି ହଜାର ହଜାର ଟ୍ରକ୍, ଆଦାୟ ହେଉଛି କୋଟି କୋଟି ଟଙ୍କା ରାଜସ୍ବ। କିନ୍ତୁ ଏହି ଭିଡ଼ିଓକୁ ଭଲ ଭାବରେ ଦେଖନ୍ତୁ। ଦୈନିକ ହଜାର ହଜାର ଟ୍ରକ୍ ଚାଲିବା ଦ୍ଵାରା ପ୍ରବଳ ଧୂଳି ଉଡି ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡିଛି । ବାୟୁ ପ୍ରଦୂଷଣ ଭୟଙ୍କର ରୂପରେ ବଢ଼ୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ । ଅବସ୍ଥା ଏପରି ହୋଇଛି ଯେ ଦିନ ଦୁଇଟା ପରଠୁ ଲୋକଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାକୁ ମଧ୍ୟ ଭାବିବାକୁ ପଡୁଛି। ଲୋକଙ୍କ ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଖଣି କମ୍ପାନୀ ବା ପରିବହନ ସଂସ୍ଥା ଏହି ରାସ୍ତାରେ ନିୟମିତ ଭାବେ ପାଣି ପକାଇବା କଥା l କିନ୍ତୁ ପାଣି ନ ପକାଇ ସେମିତି ହିଁ ତାଙ୍କର ବ୍ୟବସାୟ କରି ନିଜେ ଲାଭବାନ ହୋଇ ଆସୁଛନ୍ତି । ବଡ଼ବିଲ ବଙ୍ଗଳା ଛକ ଠାରୁ ଭୋଳା ଗ୍ୟ।ରେଜ୍ ପର୍ୟ୍ୟନ୍ତ ଅବସ୍ଥା ନ କହିବା ଭଲ । ଏହି ରାସ୍ତା କଡ଼ରେ ଥିବା ଲୋକ ଧୂଳି ଯୋଗୁ ପ୍ରତ୍ୟେକ୍ଷ ଭାବରେ ପ୍ରଭାବିତ ହେଉଛନ୍ତି । ଧୂଳି ଉଡ଼ି ଲୋକଙ୍କ ଘରେ ପଶି ଖାଇବା ହାଣ୍ଡିରେ ପଡୁଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ତହସିଲଦାର ଓ ପୌରନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ ହେଁ ଅବସ୍ଥା ଯାହାକୁ ସେଇୟା। ସ୍ଥାନୀୟ କେତେକ ସଚେତନ ନାଗରିକଙ୍କ ଦ୍ଵାରା ପ୍ରଦୂଷଣ ବୋର୍ଡଙ୍କ ଟୁଇଟର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବୋର୍ଡ ଟୁଇଟରରେ ରିପ୍ଲାଏ ଦେଇ ଚୁପ୍। ଯଦି ଯଥା ଶୀଘ୍ର ସ୍ଥାନୀୟ ପ୍ରଶାସନ ଏଦିଗରେ ଦୃଷ୍ଟି ନ ଦିଅନ୍ତି ହେଲେ ଆଗାମୀ ଦିନରେ ଏହି ଅଞ୍ଚଳର ଜନସାଧାରଣ ଚକ୍ଷୁ, ଶ୍ୱାସ, ଚର୍ମ ରୋଗରେ ଆକ୍ରାନ୍ତ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଲୋକଙ୍କ ପ୍ରଶାସନକୁ ଏତିକି ଅନୁରୋଧ ଅନ୍ତତଃ ପ୍ରତିଦିନ ଏହି ରାସ୍ତାରେ ନିୟମିତ ଭାବରେ ପାଣି ପକାଇବାର ବ୍ୟବସ୍ଥା କରାଯାଉ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0