ଅହମଦାବାଦ: ବରିଷ୍ଠ କଂଗ୍ରେସ ନେତା ତଥା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲଙ୍କିଙ୍କର ଆଜି ସକାଳୁ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ୧୯୨୭ ମସିହା ଜୁଲାଇ ୩୦ରେ ଜନ୍ମିତ ସୋଲଙ୍କି ୧୯୭୬ରେ ସ୍ୱଳ୍ପ ସମୟ ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୁଣି ୧୯୮୧ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାକୁ ଆସିଥିଲେ। ଏହି ସମୟରେ ସୋଲଙ୍କି ସାମାଜିକ ଓ ଆର୍ଥିକ ପଛୁଆବର୍ଗଙ୍କ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା ପ୍ରଚଳନ କରିଥିଲେ।୧୯୮୫ରେ ସୋଲଙ୍କି ଇସ୍ତଫା ଦେଇଥିଲେ କିନ୍ତୁ, ପରେ ଗୁଜରାଟ ବିଧାନସଭାର ୧୮୨ଟି ଆସନରୁ ୧୪୯ଟି ଆସନରେ ବିଜୟୀ ହୋଇ ପୁନର୍ବାର କ୍ଷମତାକୁ ଫେରିଥିଲେ। ଏହାଛଡ଼ା, ଶ୍ରୀ ସୋଲଙ୍କି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ସମ୍ପାଦନ କରିଥିଲେ। ଓକିଲାତି ଥିଲା ତାଙ୍କର ବୃତ୍ତି। ସୋଲଙ୍କିଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରିଛନ୍ତି, ଉତ୍କଷ୍ଟ ସମାଜ ସେବା ନିମନ୍ତେ ସେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ମୁଁ ଦୁଃଖୀତ। ରାଜନୀତି ବ୍ୟତିରେକେ, ଶ୍ରୀ ମାଧବସିଂହ ସୋଲଙ୍କି ଜୀ ପଢ଼ିବାକୁ ସୁଖ ପାଉଥିଲେ ଏବଂ ସଂସ୍କୃତି ପ୍ରତି ତାଙ୍କର ଆବେଗ ଥିଲା। ମୁଁ ତାଙ୍କୁ ଯେତେବେଳେ ଭେଟେ କି, କଥା କହେ, ଆମେ ବହି ବିଷୟରେ ଆଲୋଚନା କରୁ। ସେ ନିକଟରେ ପଢ଼ିଥିବା ନୂଆ ବହି ବିଷୟରେ ମତେ କହନ୍ତି। ତାଙ୍କର ସହ ହୋଇଥିବା ଭାବବିନିମୟକୁ ମୁଁ ସଶ୍ରଦ୍ଧ ସ୍ମରଣ ରଖିବି। କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ମଧ୍ୟ ଦୁଃଖବ୍ୟକ୍ତ କରି ଟୁଇଟ କରିଛନ୍ତି, ଶ୍ରୀ ମାଧବ ସିଂହ ସୋଲଙ୍କିଙ୍କ ବିୟୋଗରେ ଦୁଃଖିତ। କଂଗ୍ରେସ ଆଦର୍ଶ ଏବଂ ସାମାଜିକ ନ୍ୟାୟ ସୁଦୃଢ଼ କରିବାରେ ତାଙ୍କର ଅବଦାନ ନିମନ୍ତେ ସେ ସ୍ମରଣୀୟ ହୋଇ ରହିବେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0