ପୁରୀ : କୋହଳ ହୋଇପାରେ କାଳିଆ ଦର୍ଶନ କଟକଣା। ଉଠିପାରେ କୋଭିଡ ନେଗେଟିଭ ରିପୋର୍ଟ ବ୍ୟବସ୍ଥା। ଏଥିପାଇଁ ଆସନ୍ତାକାଲି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି। ବୈଠକରେ ଦର୍ଶନ ବ୍ୟବସ୍ଥା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ସପ୍ତାହେ ଧରି ଚାଲିଥିବା ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରାଯିବ। ବିଶେଷ କରି ଗରିବ ଭକ୍ତ କିଭଳି ସୁବିଧାରେ ଦର୍ଶନ କରି ଫେରିବେ, ତାହା ଫୋକସରେ ରହିବ। କୋଭିଡ ରିପୋର୍ଟ ପାଇଁ ଅର୍ଥ ଯୋଗାଡ଼ କରି ପାରୁନଥିବା ଭକ୍ତ ଯେଭଳି ସୁବିଧାରେ ଦର୍ଶନ କରି ଫେରିବେ, ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଦୀର୍ଘ ୯ ମାସ ପରେ ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିଛି ସତ, ତଥାପି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି ଭକ୍ତ। କୋଭିଡ ରିପୋର୍ଟର କଟକଣା ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରି ଠିଆ କରିଛି। ଦର୍ଶନ ନ ପାଇ ଶ୍ରୀମନ୍ଦିର ଦୁଆରୁ କାନ୍ଦି କାନ୍ଦି ଫେରୁଛନ୍ତି ଭକ୍ତ। ଧାଡ଼ି ଦର୍ଶନ ପାଇଁ ଲାଗିଥିବା ବାରିକେଡ ଅପେକ୍ଷା ବାହାରେ ଅସମ୍ଭାଳ ଭିଡ଼ ହେଉଛି। ଶ୍ରୀମନ୍ଦିର ପ୍ରଶାସନର ଏଭଳି ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନାପସନ୍ଦ କରୁଥିବା ଭକ୍ତ ପତିତପାବନଙ୍କୁ ଦର୍ଶନ କରି ଫେରିବାକୁ ଶ୍ରେୟ ମଣୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀ, ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ବି ବୈଠକରେ ଯୋଗଦେବେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0