ନୂଆଦିଲ୍ଲୀ: ଜାନୁଆରି ୧୬ ତାରିଖରେ ଦେଶରେ ଆରମ୍ଭ ହେବାକୁ ଯାଉଥିବା ବିଶାଳ ଟିକାକରଣ ଅଭିଯାନରେ ସରକାରଙ୍କର ଅନ୍ୟୂନ ୨୩ଟି ବିଭାଗ ଅଂଶଗ୍ରହଣ କରିବେ। ଏହା ବିଶ୍ୱର ସବୁଠାରୁ ବଡ଼ ଟିକାରଣ ଅଭିଯାନ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି। ଏହି ଅଭିଯାନର ଅବାଧ ପରିଚାଳନା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦେଶନାରେ ଅନ୍ୟ ୨୩ଟି ସରକାରୀ ବିଭାଗ କାମ କରିବେ। ମହିଳା ଓ ଶିଶୁ ବିକାଶ ବିଭାଗ ଟିକାକରଣ ପାଇଁ କର୍ମଚାରୀ ଯୋଗାଇ ଦେବ। ପଞ୍ଚାୟତରାଜ ବିଭାଗ ଟିକାକରଣ ସ୍ଥାନ ଚିହ୍ନଟ ଓ ବ୍ୟବସ୍ଥା କରିବା ସହ ପଞ୍ଚାୟତ ଅଧୀନରେ ଥିବା ସ୍ୱାସ୍ଥ୍ୟ ସେବା କର୍ମୀଙ୍କର ପଞ୍ଜିକରଣ କରାଇବାରେ ସହଯୋଗ କରିବ। ଗ୍ରାମୀଣ ବିକାଶ ବିଭାଗ ଏହି ଅଭିଯାନରେ ସ୍ୱଂୟସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରିବ। ସେହିଭଳି ଶିକ୍ଷା ବିଭାଗ ଟିକାକରଣ ଅଧିବେଶନ ପରିଚାଳନା କରିବା ସହ ଆବଶ୍ୟକ ହେଲେ କର୍ମଚାରୀ ଯୋଗାଇ ଦେବ। ଆୟୁଷ ବିଭାଗ ମଧ୍ୟ ତା’ ଅଧୀନରେ ଥିବା ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ଚିହ୍ନଟ କରାଇବା ସହ ଭ୍ୟାକ୍ସିନେଟର୍ ଯୋଗାଇ ଦେବ। ନଗରାଞ୍ଚଳ ବିକାଶ ବିଭାଗ ସ୍ୱାସ୍ଥ୍ୟସେବା କର୍ମୀ ଏବଂ ମହାନଗର ନିଗମ ଓ ପୌରାଞ୍ଚଳରେ କାର୍ୟ୍ୟରତ ପ୍ରତ୍ୟକ୍ଷ ସ୍ୱାସ୍ଥ୍ୟସେବାକାରୀଙ୍କୁ ପଞ୍ଜିକୃତ କରିବ। ସେମାନଙ୍କ କର୍ମଚାରୀମାନେ ମଧ୍ୟ ଭ୍ୟାକ୍ସିନ୍ ଅଫିସର୍ ଭାବେ କାମ କରିବେ। କ୍ରୀଡ଼ା ଓ ଯୁବ ବିଭାଗ ଟିକାକରଣ ସ୍ଥାନରେ ଲୋକମାନଙ୍କୁ ନିୟନ୍ତ୍ରଣ କରିବାକୁ ‘ଏନଓ୍ଵାଇକେଏସ’ ଏବଂ ‘ଏନଏସଏସ’ କ୍ୟାଡେଟ ଯୋଗାଇ ଦେବ। ଏହାଛଡ଼ା ରାଜ୍ୟ ପୁଲିସ ବିଭାଗ ମଧ୍ୟ ନିଜ ବିଭାଗରୁ ଟିକା ନେବାକୁ ଥିବା ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ଦୁର୍ଗମ ଏବଂ ଉଗ୍ର ବାମପନ୍ଥୀ ଅଧ୍ୟୁଷିତ ଅଞ୍ଚଳରେ ଟିକା ପହଞ୍ଚାଇବାରେ ସହାୟକ ହେବ ଏବଂ ଟିକା ଷ୍ଟୋରେଜ, ପରିବହନ ଏବଂ ଟିକାକରଣ ସ୍ଥାନରେ ସୁରକ୍ଷା ପ୍ରଦାନ କରିବ। ରାଜସ୍ୱ, ପୂର୍ତ୍ତ ବିଭାଗ ଓ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଙ୍ଗ ବିଭାଗ ଟିକାକରଣ ଅଧିବେଶନ ପାଇଁ ସ୍ଥାନ ଚିହ୍ନଟ କରାଇବ। ପ୍ରତିରକ୍ଷା ବିଭାଗ ସଶସ୍ତ୍ରବାହିନୀରେ ଟିକା ନେବାକୁ ଥିବା ହିତାଧିକାରୀଙ୍କ ପଞ୍ଜିକରଣରେ ସହାୟକ ହେବ ଓ ନିରାପତ୍ତା-ସ୍ପର୍ଶକାତର ଅଞ୍ଚଳକୁ ଟିକା ନେବାରେ ସାହାଯ୍ୟ କରିବ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0