ଭୁବନେଶ୍ବର : ରାଜଧାନୀର ରାଜରାସ୍ତା ହେଉ କି ୧୬ ନମ୍ବର ଜାତୀୟ ରାଜପଥ। ସବୁଠି ରାସ୍ତାକଡ଼ରେ ଖେଳି ଯାଇଛି ନକଲି ହେଲ୍ମେଟ୍ର ପସରା। କିଛି ବେପାରୀ ଠେଲା ଦୋକାନ ଖଣ୍ଡେ ପକାଇ ସେଠି ବେନାମୀ ବ୍ରାଣ୍ଡ ହେଲମେଟ୍ ବିକୁଛନ୍ତି। ଏଥିରେ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଇନ୍ଷ୍ଟିଚ୍ୟୁସନ୍ର ନକଲି ଜରି ଷ୍ଟିକର ଛପାଯାଇଛି। ଏସବୁ ହେଲ୍ମେଟ୍ ମାତ୍ର ୨୫୦ ଟଙ୍କାରେ ମିଳୁଛି। ଆଉ କିଛି ବ୍ରାଣ୍ଡେଡ୍ ହେଲ୍ମେଟ୍ରେ ଅବିକଳ ନକଲକୁ ୮୦୦-୯୦୦ ଟଙ୍କାରେ ବିକ୍ରି କରାଯାଉଛି ।
ନିୟମାନୁସାରେ, ବାଇକ୍ ଚାଳକଙ୍କ ପାଇଁ ଉଦ୍ଧିଷ୍ଟ ହେଲ୍ମେଟ୍ଗୁଡି଼କ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ବା ବିଆଇଏସ ସ୍ୱୀକୃତିପ୍ରାପ୍ତ ହୋଇଥିବ । ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଇଷ୍ଟିଚ୍ୟୁସନ (ଆଇଏସ୍ଆଇ)ର ଷ୍ଟାମ୍ପ ବାଜିଥିବ । ଯାହାକି, ହେଲ୍ମେଟ୍ ଫର୍ ରାଇଡର ଅଫ୍ ଟୁ-ହ୍ୱିଲର ମୋଟର ଭେହିକିଲ୍ (କ୍ୱାଲିଟି କଣ୍ଟ୍ରୋଲ) ଅର୍ଡର- ୨୦୨୦ ଅନୁସାରେ ଲାଗୁ ହୋଇଥିଲା । ହେଲ୍ମେଟ୍ର ଓଜନ ପ୍ରାୟ ୧୨୦୦ ଗ୍ରାମରୁ ଅଧିକ ହୋଇନଥିବ । ନଚେତ୍, ଚାଳକଙ୍କୁ ୧୦୦୦ ଟଙ୍କା ଯାଏଁ ଜରିମାନା ଦେବାକୁ ପଡ଼ିବ । ଆଇଏସ୍ଆଇ ବୈଧତା ନଥିବା ହେଲମେଟ୍ ତିଆରି କରୁଥିବା କମ୍ପାନୀ ଧରା ପଡ଼ିଲେ, ୨ ବର୍ଷ ଜେଲ୍ ଦଣ୍ଡ ସହ ୨ଲକ୍ଷ ଟଙ୍କା ଜରିମାନା ଗଣିବାକୁ ପଡ଼ିବ । ଆସନ୍ତା ଜୁନ୍ ୧ ତାରିଖରୁ ଆଇଏସ୍ଆଇ ମାର୍କା ହେଲ୍ମେଟ୍କୁ ବାଧ୍ୟତାମୂଳକ ହେବ ।
ସଡ଼କ ଦୁର୍ଘଟଣାରେ ମୃତାହତ ସଂଖ୍ୟା କମାଇବାକୁ ଟ୍ରାଫିକ୍ ନିୟମକୁ କଡ଼ାକଡ଼ କରିଛନ୍ତି ସରକାର। ବାଇକ୍ ପଛରେ ବସି ଯାଉଥିବା ଆରୋହୀଙ୍କ ପାଇଁ ମଧ୍ୟ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି। ଅମାନିଆଙ୍କଠାରୁ କରିମାନା ବି ଆଦାୟ କରାଯାଉଛି। କିନ୍ତୁ ପୋଲିସର ଏପରି ତଣ୍ଡରୁ ବର୍ତ୍ତିବା ପାଇଁ ଲୋକେ କାମଚଳା ଉପାୟ ବାଛିଛନ୍ତି। ରାସ୍ତାକଡ଼ରେ ମିଳୁଥିବା ଶସ୍ତା ଓ ନକଲି ହେଲ୍ମେଟ୍ ପିନ୍ଧୁଛନ୍ତି। ଦୁର୍ଘଟଣା ବେଳେ ବିପଦକୁ ଆମନ୍ତ୍ରଣ କରୁଛନ୍ତି। ରାଜଧାନୀରେ ବିକାଯାଉଥିବା ନକଲି ହେଲ୍ମେଟ୍ର ହବ୍ ହେଉଛି ଦିଲ୍ଲୀ ଓ କୋଲକାତା । ଏଠାରୁ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସହରକୁ ବିପୁଳ ମାତ୍ରାରେ ନକଲି ହେଲମେଟ ଆଣି ବିକ୍ରି କରାଯାଉଛି । ଆଉ ଖୁଚୁରା ବେପାରୀଙ୍କ ଜରିଆରେ ରାସ୍ତାକଡ଼ରେ ଖୁଲ୍ମଖୁଲା ବିକାଯାଉଛି ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0