ଆସନ୍ତାକାଲିଠାରୁ ମହାମାରୀ ବିରୋଧରେ ମହା ଲଢେଇ । ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ କରୋନା ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ । ଦେଶରେ ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ରାଜ୍ୟରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁନ୍ଦରଗଡ ଜିଲ୍ଲାରେ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଜିଲ୍ଲାକୁ ୧୧ ହଜାର ୫୦ ଡୋଜ ଟିକା ଆସିଛି । ମୋଟ ୮ଟି ଟିକାକରଣ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଛି । ରାଉରକେଲା ସରକାରୀ ହସ୍ପିଟାଲ, ଘରୋଇ ଜେ.ପି ହସ୍ପିଟାଲ ଓ କୋଏଲନଗର ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ସୁନ୍ଦରଗଡର ୩ଟି ଡାକ୍ତରଖାନାରେ ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମଙ୍ଗଳପୁର ସିଏଚସି. ବଣାଇ ସିଏଚସିକୁ ଟିକାକରଣ କେନ୍ଦ୍ର କରିଛନ୍ତି ଜିଲ୍ଲା ପ୍ରଶାସନ । ସାରା ଜିଲ୍ଲାରେ କିଭଳି ତାର ପ୍ରସ୍ତୁତି କରାଯାଇଛି ତାର ସମୀକ୍ଷା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନାରଭଣେ ଓ ସୁନ୍ଦରଗଡ ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର । ସେପଟେ, ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ଟିକାକରଣ ପାଇଁ ୨ଟି ଟିକା ପହଂଚିସାରିଛି । ପୁଣେ ସ୍ଥିତି ସେରମ ଇନଷ୍ଟିଚ୍ୟୁଟର କୋଭିସିଲଡ ଓ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକର କୋଭାକ୍ସି ଟିକା ରାଜ୍ୟରେ ପହଂଚିସାରିଛି । ତେବେ ରାଜ୍ୟର ସମସ୍ତ ଜିଲ୍ଲା ସମେତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ମିଶାଇ ମୋଟ ୩୨ଟି କେନ୍ଦ୍ରକୁ ଏହି ଟିକା ପଠାଇ ଦିଆଯାଇଛି । ରାଜ୍ୟରେ ମୋଟ ୧୬୦ଟି ଟିକାକେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ଭୁବନେଶ୍ୱର ବ୍ୟତୀତ ଅନ୍ୟ ସବୁଠି କୋଭିସିଲଡ ଟିକା ପ୍ରଦାନ କରାଯିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0