ନୂଆଦିଲ୍ଲୀ: ଏଣିକି ହାଉସଫୁଲ ହେବ ସିନେମା ହଲ୍। ଫେବ୍ରୁଆରୀ ୧ରୁ ଅର୍ଥାତ ଆସନ୍ତାକାଲିଠାରୁ ଶତ ପ୍ରତିଶତ ଦର୍ଶକରେ ଚାଲିବ ଫିଲ୍ମ ହଲ। ଏନେଇ ଗ୍ରୀନ ସିଗନାଲ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁମତି ମିଳିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରିବ। ଫିଲ୍ମ ଡିଷ୍ଟ୍ରିବୁଟର ଓ ହଲ ମାଲିକମାନେ ଉପକୃତ ହେବା ନେଇ ଆଶା କରାଯାଉଛି। କରୋନା ଯୋଗୁଁ ଗତ ମାର୍ଚ୍ଚ ମାସରୁ ବନ୍ଦ ଥିଲା ସିନେମା ହଲ । ଗତ ଅକ୍ଟୋବର ମାସରୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ଏବେ ଶତ ପ୍ରତିଶତ ଦର୍ଶକଙ୍କୁ ହଲ ଖୋଲିବାକୁ ଅନୁମତି ମିଳିଛି। ତେବେ କରୋନା ସଂକ୍ରମଣ ଏଡ଼ାଇବା ପାଇଁ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି। ହଲ ବାହାରେ, ଅପେକ୍ଷାଗୃହରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ପରସ୍ପରଠାରୁ ୬ ଫୁଟ ଦୂରତା ବଜାୟ ରଖିବା ସହ ଫେସ କଭର କିମ୍ବା ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହଲ ପରିସରରେ ସାନିଟାଇଜର ରଖିବା ସହ ଦର୍ଶକଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ଟଚ ଫ୍ରି ମୋଡ କରିବା ପାଇଁ ଗାଇଡ ଲାଇନ ଜାରି ହୋଇଛି। ହଲ ପରିସରରେ ଯଦି କେହି ଅସୁସ୍ଥତା ଅନୁଭବ କରନ୍ତି ତେବେ ତୁରନ୍ତ ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି।ହଲ୍ ପରିସରରେ ଛେପ ପକାଇବା ଉପରେ କଟକଣା ଲଗାଯାଇଛି। ସେହିପରି ଆରୋଗ୍ୟ ସେତୁ ଆପ ବ୍ୟବହାର କରିବାକୁ ସମସ୍ତ ଦର୍ଶକଙ୍କୁ ପରାମର୍ଶ ଦିଆଯାଇଛି।



Visitors Today : 1
Total Visitors : 130434
Total Views : 9891965
Visitors Online Now : 0