ଭୁବନେଶ୍ୱର: ରାଜ୍ୟ ସରକାର ଫେବୃୟାରୀ ମାସ ପାଇଁ କୋଭିଡ କଟକଣା ଗାଇଡଲାଇନ ଜାରି କରିବା ପରେ ଆସନ୍ତା ପହିଲାରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନିମନ୍ତେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଏସଓପି ଜାରି କରିଛନ୍ତି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାସକୁ ୨୫ଦିନ ପାଇଁ ସକାଳ ୯ଟାରୁ ୧୧ଟା ପର୍ୟ୍ୟନ୍ତ ଖୋଲିବ। ଏହି କେନ୍ଦ୍ରରେ ୩ରୁ ୬ବର୍ଷ ବୟସର ପିଲାମାନଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଫେବୃୟାରୀ ପହିଲାରୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲିବା ନିମନ୍ତେ ଆବଶ୍ୟକ ଏସଓପି ଜାରି କରିଛନ୍ତି। ଜିଲ୍ଲାର ଆଇସିଡିଏସ ଅଧିକାରୀଙ୍କୁ ଏହି ଏସଓପିକୁ କଡ଼ାକଡ଼ି ଭାବେ ପାଳନ ନିମନ୍ତେ ଜିଲ୍ଲାପାଳମାନେ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ କହିଛନ୍ତି। ଏସଓପି ଅନୁସାରେ, ଅଙ୍ଗନବାଡ଼ି ଦିଦି ଓ ସହାୟିକାଙ୍କ ସମେତ ସମସ୍ତ ପିଲା ନିଶ୍ଚିତ ଭାବେ ମୁହଁରେ ମାସ୍କ ପିନ୍ଧିବେ। ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ୬ଫୁଟ ଦୂରତ୍ୱରେ ବସାଇବା ପାଇଁ ବ୍ୟବସ୍ଥା ରହିବ। ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିଲେ ‘ଆଜି ମୋ ଜନ୍ମଦିନ’ ଗୀତ ଗାଇବା ଶୈଳୀରେ ସେମାନଙ୍କୁ ୨୦ସେକେଣ୍ଡ ପର୍ୟ୍ୟନ୍ତ ହାତ ଧୋଇବା ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ ପଦକ୍ଷେପ ନେବାକୁ କୁହାଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0