ଭୁବନେଶ୍ୱର (ଚନ୍ଦନ ପଣ୍ଡା) : ରାଜ୍ୟ ରାଜନୀତିରେ ପିପିଲି ନିର୍ବାଚନ ମଣ୍ଡଳୀ ସଦା ସର୍ବଦା ଚର୍ଚ୍ଚାରେ ରହିଆସିଛି | କାରଣ ରାଜନୀତିରେ ବେଶ ପାକଳ ତଥା ଟାଣୁଆ ଓ ଦୃଢ ସଂଗଠକ ପ୍ରଦୀପ ମହାରଥୀଙ୍କର ନିର୍ବାଚନୀ କ୍ଷେତ୍ର ପିପିଲି | ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ ପୁରୀ ରୁ ଛାତ୍ର ରାଜନୀତି ମାଧ୍ୟମରେ ନିଜର ନେତୃତ୍ଵ ର ପରାକାଷ୍ଠା ଦେଖାଇଥିବା ଶ୍ରୀଯୁକ୍ତ ମହାରଥୀ ଏକାଧାରରେ ରାଜନୀତି , କୃଷି , ଅଭିନୟ ନିର୍ଦ୍ଦେଶନା ଓ କଳା ରେ ରୁଚି ରଖୁଥିଲେ | ଯାହାର ଉଦାହରଣ ହେଲା ପିପିଲି ହୁଙ୍କେଇପୁର ଠାରେ ଥିବା ଫାର୍ମ ହାଉସ ଓ ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ | ଏହା ତାଙ୍କର ମାନସ ସନ୍ତାନ ବୋଲି କୁହାଯାଏ |୧୯୮୫ ରୁ ପ୍ରତ୍ୟକ୍ଷ ରାଜନୀତି ଆରମ୍ଭ କରିଥିବା ପ୍ରଦୀପ ମହାରଥୀ ୮ ଥର ନିର୍ବାଚନ ଲଢ଼ିଛନ୍ତି ଓ କ୍ରମାନ୍ୱୟରେ ଓଡିଶା ବିଧାନସଭା କୁ ୭ ଥର ନିର୍ବାଚିତ ହୋଇଛନ୍ତି | କେବଳ ୧୯୯୫ ରେ ତାଙ୍କର ପାରମ୍ପରିକ ପ୍ରତିଦ୍ବନ୍ଦୀ ଯୁଧିଷ୍ଠିର ସାମନ୍ତରାୟ ଙ୍କ ଠାରୁ ପରାଜୟ ହୋଇଥିଲେ | ଅନ୍ୟ ନିର୍ବାଚନ ପରି ୨୦୧୯ ନିର୍ବାଚନ ତାଙ୍କ ପାଇଁ ଏତେ ସହଜ ନଥିଲା | ଅବଶ୍ୟ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ ଙ୍କୁ କୌଶଳ କ୍ରମେ ବୁଝାଇ ନଲଢ଼ିବ ପାଇଁ ପ୍ରବର୍ତାଇ ସଫଳ ହେଲେ ବୋଲି ସେ ସମୟରେ ଚର୍ଚ୍ଚା ହେଉଥିଲା | ଯାହା ଫଳରେ ଶେଷ ପର୍ଯ୍ୟୟ ରେ କଂଗ୍ରେସ ରୁ ଅଜିତ ମଙ୍ଗରାଜ ପ୍ରାର୍ଥୀ ହୋଇଥିଲେ | କିନ୍ତୁ ବିଜେପି ପ୍ରାର୍ଥୀ ଆଶ୍ରୀତ ପଟନାୟକ ମହାରଥୀକୁ କଡା ଟକ୍କର ଦେଇଥିଲେ |ବ୍ୟବଧାନ ଥିଲା ମାତ୍ର ୧୫.୭୮୭ | ପିପିଲି ର ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କର ଗତ ଅକ୍ଟୋବର ମାସ ୪ ତାରିଖରେ କୋଭିଡି ରେ ଚିକିତ୍ସା ଅବସ୍ଥାରେ ମୃତୁ ଘଟିଥିଲା | ସେବେଠାରୁ ଖାଲି ପଡିଛି ପିପିଲି ଆସନ | ନିର୍ବାଚନ ତାରିଖ ଘୋଷଣା ହୋଇନି କିନ୍ତୁ ଆରମ୍ଭ ହୋଇଗଲାଣି ମାନସ ମନ୍ଥନ | ପିପିଲିରେ କାହାକୁ ମିଳିବ ବିଜେଡି ଟିକେଟ ? ଏ ନେଇ ଦଳୀୟ ଶିବିରରେ କସରତ ଚାଲିଲାଣି । ବରିଷ୍ଠ ନେତା ପ୍ରତାପ ଦେବ ଙ୍କୁ ଦାଇତ୍ୱ ଦିଆହୋଇଛି ସ୍ଥିତି ସମୀକ୍ଷା କରିବେ | ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ବାସଭବନରେ ଏହା ଭିତରେ ବୈଠକ ସରିଲାଣି । ପିପିଲି, ଡେଲାଙ୍ଗ ବ୍ଲକ ଓ ଏନ୍,ଏ .ସି ର ବିଜେଡି ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରତାପ କେଶରୀ ଦେବ । ଉପନିର୍ବାଚନ ହେବାକୁ ଥିବାରୁ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସାଂଗଠନିକ ସ୍ଥିତି କିପରି ରହିଛି ସେନେଇ ଆଲୋଚନା ହୋଇଛି । ଏଥିପାଇଁ ଜୋର ଧରିଲାଣି ରାଜନୀତି ପାଣିପାଗ । କିଭଳି ପୁଣି ପିପିଲି ଦଖଲ କରିବ ବିଜେଡି ଓ ଗତ ନିର୍ବାଚନ ଅପେକ୍ଷା ଉତ୍ତମ ପ୍ରଦର୍ଶନ କରିବ , ସେ ବିଷୟରେ ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ଶ୍ରୀଯୁକ୍ତ ଦେବ | ଏବଂ ପିପିଲି ଆସନରୁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ମଧ୍ୟ ମତ ନିଆଯାଇଥିଲା । ତେବେ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ଙ୍କୁ ପ୍ରାର୍ଥୀ କରିବା ଲାଗି ପିପିଲି ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ ଦାବି କରିଛନ୍ତି ଓ ସେପଟେ ମୁଖ୍ୟମନ୍ତ୍ରୀ ଯାହାକୁ ବି ପ୍ରାର୍ଥୀ କରିବେ ତାକୁ ସ୍ୱୀକାର କରାଯିବ ବୋଲି ବିଜେଡିର ପିପିଲି ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ କହିଛନ୍ତି | ଡେଲାଙ୍ଗର କିଛି ବ୍ଲକ ସ୍ତରୀୟ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ସେମାନଙ୍କ ଯୁକ୍ତି ହେଲା, ରୁଦ୍ରଙ୍କୁ ଟିକେଟ ଦିଆଗଲେ ଯୁବପିଢୀଙ୍କ ଉତ୍ସାହ ବଢିବ । ତେବେ ଏ ଦୁଇଟି କଥାର ମତ ପାର୍ଥକ୍ୟ ଭିତରେ ମା ପ୍ରତିଭା ମହାରଥୀ ଓ ପୁଅ ରୁଦ୍ର ମହାରଥୀଙ୍କ ପାଇଁ ବିଜେଡି କର୍ମୀ ଦୁଇଭାଗ ହୋଇଛନ୍ତି ଓ ଭିତରେ ଫାଟ ଜଳ ଜଳ ହେଉଛି ବୋଲି ଆମେ କହି ପାରିବା | କିଛି ଦିନ ପୂର୍ବରୁ ପ୍ରତିଭା ମହାରଥୀ ନିଜ ପ୍ରତିକ୍ରିୟା ରେ ସେ ଇଛୁକ ଥିବା ଦର୍ଶାଇଥିବା ସେ ସୁଯୋଗ ମିଳିଲେ ଖୁସି ହେବେ ବୋଲି କହିଥିଲେ | ସମାନ ଢଙ୍ଗରେ ତାଙ୍କ ପୁତ୍ର ରୁଦ୍ର ମହାରଥୀ ମଧ୍ୟ କହିଛନ୍ତି ସେ ଜନ୍ମ ବେଳେ ତାଙ୍କର ବାପା ବିଧାୟକ ଥିଲେ ଓ ପିଲାବେଳୁ ବାପାଙ୍କ ରାଜନୀତିର ତରିକା ଦେଖିଛନ୍ତି ତେଣୁ ସେ ସର୍ବଦା ରେଡି | ଦଳରୁ ଯାହା ଆଦେଶ ଆସିବ ସେ ଓ ତାଙ୍କ ମା ପାଳନ କରିବେ ।
କିନ୍ତୁ ବିଜେଡି କର୍ମୀ ଏବେ ଅପେକ୍ଷା କରିଛନ୍ତି କାହାକୁ ମିଳିବ ଦଳୀୟ ଟିକେଟ ? କିଏ ହେବ ସେମାନଙ୍କ ନେତା ? ମହାରଥୀଙ୍କ ପରିବାରରୁ କାହାକୁ ବାଛିବେ ନା ବାଲେଶ୍ୱର ପରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କଲାଭଳି ତୃତୀୟ ପକ୍ଷରୁ କାହାକୁ ସ୍ଥିର କରିବେ | ମହାରଥୀଙ୍କ ପରିବାର ବାଦ୍ ପିପିଲି ରୁ ପୁରୀ ଜିଲ୍ଲା ପରିଷଦ ର ପୂର୍ବତନ ଉପାଧ୍ୟକ୍ଷ ଥିବା ଓ ବର୍ତ୍ତମାନ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ର ଅଧ୍ୟକ୍ଷା ପାଦରେ ଅସୀନ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଓ ମୁମ୍ବାଇ ର ପୂର୍ବତନ ପୁଲିସ କମିଶନର ଏବଂ ଗତ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ରୁ ପ୍ରାର୍ଥୀ ହୋଇଥିବା ଅରୂପ ପଟନାୟକ ଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି | ଏସବୁ ଭିତରେ ଦିନ ଯେତିକି ଗଡୁଛି ପିପିଲି ରେ ରାଜନୀତିକ ପାଣିପାଗ ସେତିକି ଉଷ୍ମ ହେଉଛି |ତେବେ ବିଜେଡି ସୁପ୍ରିମୋ କଣ ନିଷ୍ପତି ନେଉଛନ୍ତି ତାଉପରେ ରହିଛି ସମସ୍ତଙ୍କ ନଜର.. ବାକି ରହିଲା ହାତୀ କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ? କିଏ ହେବ ପିପିଲି ବାସୀଙ୍କ ପ୍ରିୟ ସେବକ ? ସୁଖ ଦୁଃଖର ସାଥି ହୋଇ କିଏ ପୋଛିବ ପିପିଲି ମା ର ଲୁହ ? ମୁକୁଟ କାହାର ମା ନ ପୁଅ ନ ଆଉ କିଏ ସେ ବିଚାର ଆମର ଶୁଦ୍ଧି ପାଠକ /ପାଠିକା ମାନଙ୍କ ଉପରେ ଛାଡିଲୁ ….



Visitors Today : 3
Total Visitors : 130169
Total Views : 9891615
Visitors Online Now : 0