ଭୁବନେଶ୍ୱର: ଓଡିଶା ଆନ୍ଧ୍ର ସୀମା କୋଟିଆରେ ହେବ ନିର୍ବାଚନ। ଆନ୍ଧ୍ର ପକ୍ଷରୁ ଏହି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।ଆସନ୍ତା ୧୩ରେ ୩ଟି ପଞ୍ଚାୟତ ପାଇଁ ଆନ୍ଧ୍ରର ସରପଞ୍ଚ ନିର୍ବାଚନ ହେବ। ଏନେଇ ୪ ତାରିଖରେ ସରପଞ୍ଚ ଓ ୱାର୍ଡମେମ୍ବର ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବା ଆନ୍ଧ୍ର ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଓଡିଶା ସରକାରଙ୍କ ସବୁ ସୁବିଧା ସତ୍ୱେ କୋଟିଆର ୨ ସରପଞ୍ଚ ପ୍ରାର୍ଥୀ ଓ ୮ ୱାର୍ଡମେମ୍ବର ପ୍ରାର୍ଥୀ ନାମାଙ୍କନ ଭରିଥିବା ସୂଚନା ମିଳିଛି ।ସେହିଭଳି ଫାଟୁସିନେରୀ ପଞ୍ଚାୟତ ନିମନ୍ତେ ଗୋଟିଏ ସରପଞ୍ଚ ପ୍ରାର୍ଥୀ ଓ ୪ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ଏବଂ ଫଗୁଣସିନେରୀ ନିମନ୍ତେ କୌଣସି ମଧ୍ୟ ସରପଞ୍ଚ କିମ୍ବା ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରଦାନ କରିନଥିବା ନେଇ ଜଣାପଡିଛି ।
ତେବେ ଆନ୍ଧ୍ରର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ନୂଆ କଥା ନୁହେଁ ବୋଲି ସୂଚନା ମିଳିଛି। ବହୁ ବର୍ଷ ହେବ ଆନ୍ଧ୍ର ସରକାର କୋଟିଆରେ ନିର୍ବାଚନ ଚଳାଇ ଆସୁଛି । ତେବେ ଏହି ନିର୍ବାଚନରେ କୋଟିଆବାସୀ ଭାଗ ନେବେ କି ନାହିଁ ତାହା ପ୍ରଶ୍ନ ଘେରରେ ।
ସେପଟେ ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀ କୋଟିଆରେ ବହୁମୁଖୀ ବିକାଶ ପ୍ରକଳ୍ପର ଉଦଘାଟନ କରିବା କାର୍ୟ୍ୟକ୍ରମ ରହିଛି । ସୂଚନା ଅନୁସାରେ କୋଟିଆର ୧୦ ଶଯ୍ୟା ବିଶିଷ୍ଟ ହସପିଟାଲ, ସବ ସେଣ୍ଟର, ଅଫିସର କ୍ଲଷ୍ଟର ଗୃହ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ସରକାରୀ ବାସ ଗୃହ, ମାଡକର ଗାଁକୁ ରାସ୍ତା, ସରକାରୀ ଆଶ୍ରମ ହାଇସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି। ଏହି ସବୁ ପ୍ରକଳ୍ପର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କୋଟିଆର ବିକାଶ ମୂଳକ କାର୍ୟ୍ୟକ୍ରମର ସମୀକ୍ଷା କରିବେ ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0