spot_img

ରାଜନୀତିର ପଶାପାଲିରେ ସୀମାନ୍ତ ଅଞ୍ଚଳ , ସୀମା ଲଙ୍ଘୁଛି ସୀମା ବିବାଦ …

ଭୁବନେଶ୍ୱର (ଚନ୍ଦନ ପଣ୍ଡା) : ମାନବ ସଭ୍ୟତା ଆରମ୍ଭ ପୂର୍ବରୁ ଯାଯାବର ଜୀବନ ଯାପନ କରୁଥିଲା | ପରେ ମଣିଷ ସ୍ଥାୟୀ ଭାବରେ ବସବାସ କଲା। ବିରାଟ ପୃଥିବୀରେ ଅଳ୍ପ ସଂଖ୍ୟକ ଲୋକଙ୍କୁ ସୀମା ସରହଦ କ’ଣ ଆବଶ୍ୟକ ? ଯିଏ ଯେଉଁଠି ରହିପାରିଲେ ହେଲା। ସେତେବେଳେ ସୀମା ସରହଦ କିଛି ନଥିଲା। ତଥାପି ଜଣକ ଅଞ୍ଚଳରେ ଆଉ ଜଣେ ପ୍ରବେଶ କଲେ ଲାଗୁଥିଲା ଯୁଦ୍ଧ । ଏପରିକି ପଶୁମାନେ ଦଳବଦ୍ଧ ଭାବରେ ବସବାସ କରୁଥିଲେ। ଗୋଟିଏ ସିଂହ ଦଳ ଭିତରେ, ଆଉ ଗୋଟିଏ ସିଂହ ପ୍ରବେଶ କଲେ ଦୁଇ ଦଳ ଭିତରେ ତୁମୁଳ ସଂଗ୍ରାମ ଲାଗୁଥିଲା। ଯେଉଁ ଦଳ ପରାଜିତ ହେଉଥିଲା, ସେ ସେଠାରୁ ପଳାଇ ଯାଇ ଅନ୍ୟ ଜାଗାରେ ଆଶ୍ରୟ ଲୋଡୁଥିଲା। ସମଭାବାପନ୍ନ ପଶୁ ଏକତ୍ର ବସବାସ କରୁଥିଲେ। କାହା ସହିତ କାହାର ନ ପଡ଼ିଲେ ସେ ଜାଗା ଛାଡ଼ି ଅନ୍ୟତ୍ର ପଳାଇ ଯାଉଥିଲା। ଏହା ଥିଲା କି ପଶୁ, କି ପକ୍ଷୀ, କି ମଣିଷ – ସମସ୍ତଙ୍କର ସହଜାତ ପ୍ରବୃତ୍ତି। ଏହାକୁ ହିଁ ମାନିବାକୁ ପଡୁଥିଲା । ଯଦି କେହି ଜଣେ ଜଣକ କଥା ନ ମାନିଲା ତାକୁ କହିଲେ – ଗୋଠ ଖଣ୍ଡିଆ। ତାକୁ ମାରି ମାରି ବିଦା କରି ଦେଉଥିଲେ। ଗାଁରୁ ବାସନ୍ଦ କରୁଥିଲେ। ପଶୁମାନଙ୍କଠାରୁ ଏ ସ୍ୱଭାବ ମଣିଷ ଉପଲବ୍ଧି କଲା । ଧୀରେ ଧୀରେ ମଣିଷ ନିଜର ଜାଗା ,ବାଡ଼ି ,ସୀମା ଏହାକୁ ସୁରକ୍ଷିତ କରିବାକୁ ଲାଗିଲା | କ୍ରମଶଃ ସବୁଜିନିଷ ଅଧିକ ହେଲେ ବିବାଦ ଦେଖାଦେବ ଭଳି , ପଡିସା ,ଭାଇ ଭାଇ ମଧ୍ୟରେ ଯାଗା ବାଡ଼ି ଓ ସରକାରୀ ଜମି ଜବର ଦଖଲ ଆଦିର ସୀମା ନିରୂପଣ କୁ ନେଇ ବିବାଦ ଆରମ୍ଭ ହେବା ଭଳି ପରିସ୍ଥିତି ଉପୁଜିବାରୁ ସୀମା ନିର୍ଦ୍ଧାରଣ ର ସୃଷ୍ଟି ହେଲା |ଓଡ଼ିଶାରେ ସୀମା ବିବାଦ ଅନେକ ଦିନରୁ ଲାଗିରହିଛି | ସୀମା ବିବାଦ ନେଇ ଗଡଜାତ ରାଜାମାନଙ୍କ ମଧ୍ୟରେ ଅନେକ ଯୁଦ୍ଧ ହୋଇଛି ତାହା ଲେଖକ ମାନଙ୍କଦ୍ୱାରା ଲେଖା ହୋଇ ରହିଛି। ଯଥା ବଡ଼ମ୍ବା-ନରସିଂହପୁର, ଢେଙ୍କାନାଳ-ଅନୁଗୋଳ, ଅନୁଗୋଳ-ଦଶପଲ୍ଲା, ଢେଙ୍କାନାଳ-ମଧୁପୁର, କେନ୍ଦୁଝର-ପାଲଲହଡ଼ା, ନୟାଗଡ଼-ଘୁମୁସର ବାଙ୍କୀ-ତିଗିରିଆ, ଖୋର୍ଦ୍ଧା । ଦକ୍ଷିଣରେ ଆନ୍ଧ୍ର, ଉତ୍ତରରେ ଛତିଶଗଡ଼, ଉତ୍ତରରେ ବଙ୍ଗ, ଉତ୍ତର ପୂର୍ବରେ ଝାଡଖଣ୍ଡ।  ସୀମାବର୍ତ୍ତୀ ଗାଁ ଉପରେ କବଜା କରି ପ୍ରଭୁତ୍ବ ଜାରି କରୁଛନ୍ତି ପଡ଼ୋଶୀ । ସୀମାବର୍ତ୍ତୀ ଗାଁ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ କରୁଛନ୍ତି ଚେଷ୍ଟା ।  ମୁଖ୍ୟତ ଚାରିଟି ରାଜ୍ୟ ସହିତ ଓଡିଶାର ଦୀର୍ଘବର୍ଷରୁ ସୀମା ବିବାଦ ରହିଥିବାବେଳେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ବାରମ୍ବାର ଓଡିଶା ସୀମା ଭିତରେ ପଶି ଦାଦାଗିରି ଦେଖାଇ ସ୍ଥାନୀୟ ଲୋକଙ୍କୁ ହଇରାଣ ହରକତ କରିବା ଏକ ପ୍ରଥାରେ ପରିଣତ ହୋଇ ଗଲାଣି । ଓଡିଶା ସରକାର ବାରମ୍ବାର ଏ ସଂକ୍ରାନ୍ତରେ ନାମକୁ ମାତ୍ର  ପ୍ରତିବାଦ କରୁଥିଲେ ମଧ୍ୟ ଆଖି ଦୃଶିଆ ପଦକ୍ଷେପ ନେଉଥିବାରୁ ସୀମା ବିବାଦ ଆଳରେ ଏହି ପଡୋଶୀ ରାଜ୍ୟମାନେ ସାଧାରଣ ଲୋକଙ୍କ ଉପରେ ଜୁଲମ କରିବାକୁ ପଛାଉ ନାହାନ୍ତି ।  ଏବେ ମଧ୍ୟ ଓଡ଼ିଶା-ଆନ୍ଧ୍ର, ଓଡ଼ିଶା-ପଶ୍ଚିମ ବଙ୍ଗ ଓଡ଼ିଶା ଛତିଶଗଡ଼ ମଧ୍ୟରେ  ସୀମା ବିବାଦ ରହିଥିବା ଆପଣମାନେ ଗଣମାଧ୍ୟମ ଜରିଆରେ ଜାଣି ପାରୁଥିବେ | ସୀମା ବିବାଦ ସମାଧାନ ହେବାର ନା ଧରୁନି  |ଏଇ ଯେମିତି  ଓଡିଶା-ପଶ୍ଚିମବଙ୍ଗର ସୀମା ନିର୍ଦ୍ଧାରଣ ବିବାଦ । ବାଲେଶ୍ୱର ଭୋଗରାଇ ଉଦୟପୁର ବେଳାଭୂମିକୁ ପଶ୍ଚିମବଙ୍ଗ ନିଜ ଅକ୍ତିଆରକୁ ନେବା ପାଇଁ ବିଭିନ୍ନ ରଣନୀତି ଓ କୌଶଳ କରି ଚାଲିଛି | ଜଳେଶ୍ୱର ତହସିଲ ଅନ୍ତର୍ଗତ ମାଙ୍କିଡିଆ ଠାରୁ ଭୋଗରାଇ ଉଦୟପୁର ପର୍ଯ୍ୟନ୍ତ ପାଖାପାଖି ୮୪ଟି ଗାଁ ସୀମା ବିବାଦ ଭିତରେ ଘାଣ୍ଟି ହେଉଛନ୍ତି। ଖାଲି ସେତିକି ନୁହେଁ, ସୀମା ନିର୍ଦ୍ଧାରଣ ଖୁଣ୍ଟକୁ ପଶ୍ଚିମବଙ୍ଗ ସରକାର ଗତ ତିନି ବର୍ଷ ତଳେ ଭାଙ୍ଗି ଦେଇଛନ୍ତି । ଆହୁରି ମଧ୍ୟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଚାର ବ୍ୟାନର ଓଡ଼ିଶାର ସୀମା ଭିତରେ ଦେଖିବାକୁ ମିଳୁଛି  । କିଛି ଦିନ ପୂର୍ବେ ଭୋଗରାଇ ଅଞ୍ଚଳର ଓଡିଶା ସୀମାନ୍ତବର୍ତ୍ତୀ ଗାଁରେ ପଶ୍ଚିମବଙ୍ଗ ପ୍ରଶାସନ ଜେସିବି ଲଗାଇ ଲୋକଙ୍କ ଚାଷବାସ ନଷ୍ଟ କରିବା ସହ ଜଙ୍ଗଲ ମଧ୍ୟ ଉଜାଡିଛି । ଏ ସଂକ୍ରାନ୍ତରେ ଖବର ପାଇ ସ୍ଥାନୀୟ ପୁଲିସ୍‍ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଆତଙ୍କବାଦୀଙ୍କ ଭଳି ଭଙ୍ଗାରୁଜା ଚୁର୍‍ମାର କରି ସେମାନେ ପଳାଇଛନ୍ତି । ଗତବର୍ଷ ଭୋଗରାଇ ଅଞ୍ଚଳର ଓଡିଶା ଇଲାକାରେ ପଶି ହଜାର ହଜାର ଡମ୍ପର ବାଲି ପଶ୍ଚିମବଙ୍ଗର ମାଫିଆମାନେ ତାଡି ନେଇଥିଲେ । ଏଥିଯୋଗୁଁ ନଦୀ ଶଯ୍ୟା ପରିବର୍ତ୍ତନ ହେଉଥିବାରୁ ନିକଟବର୍ତ୍ତୀ ଗାଁ ଗୁଡିକର ସ୍ଥିତି ଉପରେ ବିପତ୍ତି ସୃଷ୍ଟି ହୋଇଛି । ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକେ ବାଧା ଦେବାରୁ ମାଫିଆମାନେ ଓଡିଶା ସୀମାନ୍ତରେ ପଶି କିଛି ଲୋକଙ୍କୁ ଅପହରଣ କରି ପଳାଇଥିଲେ । ପରେ ଅବଶ୍ୟ ଅପହୃତ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।ବାଲେଶ୍ୱର ଜିଲ୍ଲାର ୫ଟି ଓ ମୟୁରଭଞ୍ଜ ଜିଲ୍ଲାର ୮ଟି ଗ୍ରାମ ଉପରେ ପଶ୍ଚିମବଙ୍ଗ ମାଲିକାନା ଜାହିର କରୁଛି । ତେବେ ଓଡିଶା ସରକାର ଏହାର ପ୍ରତିବାଦ କରିଆସୁଛନ୍ତି । ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ମଧ୍ୟ ଏ ସଂକ୍ରାନ୍ତରେ ପଶ୍ଚିମବଙ୍ଗର ପଡୋଶୀ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସ୍ଥିତି ସୁଧାରିବାକୁ ଉଦ୍ୟମ କରିଆସୁଛନ୍ତି । ହେଲେ ଏଯାଏଁ ସ୍ଥିତିର ସେଭଳି କିଛି ସୁଧାର ଆସିଛି ବୋଲି ଅନୁଭବ ହେଉନି |  ସେହିଭଳି ଓଡ଼ିଶା ଛତିଶଗଡ଼ ମଧ୍ୟରେ ସୀମା ନିର୍ଦ୍ଧାରଣ ବିବାଦ ମଧ୍ୟ ତେଜିବାରେ ଲାଗିଛି |  ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେବା ପରିବର୍ତ୍ତେ ଏବେ ସେଠାରେ ଦାଦାଗିରି ଚଳାଇଛି ଛତିଶଗଡ। ହେଲେ ଚୁପ ବସିଛି ଓଡିଶା। ପ୍ରଥମେ ମହାନଦୀ ପାଣି ଅଟକାଇଲା ପରେ ପାଉଁଶ ପାଣି ଛାଡି ମହାନଦୀକୁ ପ୍ରଦୂଷିତ କରୁଛି ପଡୋଶୀ ରାଜ୍ୟ। ଏବେ ପୁଣି ସୀମା ଭିତରକୁ ଧସେଇ ପଶି ଓଡିଶା ଜମିକୁ ମଧ୍ୟ ହତେଇବାକୁ କରୁଛି ପ୍ରୟାସ। କନକତୋରା-ଏକଟାଲ ସୀମାନ୍ତ, ସରେଇପାଲି-ଲରା, ସୁଖାସୋଡା-ଲରା ଏଭଳି କିଛି ବିବାଦୀୟ ସୀମାନ୍ତ ରହିଛି ଯାହାକୁ ନେଇ ଚାଲିଥିବା ସୀମା ବିବାଦର ସମାଧାନ ହୋଇ ପାରୁନାହିଁ | ଯଦିଓ କିଛି କିଛି ସ୍ଥାନ ଯଥା ଝାରଗାଁ ସାଁପଖଣ୍ଡ ରୋଡ ଠାରେ ଜାଗା ଚିହ୍ନଟ କରିବାକୁ ଓଡିଆ ସୂଚନାଫଳକ ଲାଗିଛି ହେଲେ ଅନ୍ୟ ସବୁ ସ୍ଥାନକୁ ଲୋକଙ୍କ ମନରେ ସନ୍ଦେହ ରହୁଛି । ଏହି ସ୍ଥାନ ଓଡିଶା ନା ଛତିଶଗଡର ତାହା ଜଣା ପଡୁନାହିଁ । କିଛି ଏପରି ସ୍ଥାନ ରହିଛି ଯାହା ସୂଚନାଫଳକର ଗୋଟିଏ ପଟେ ଏକଟାଲ ଶୂନ କିଲୋମିଟର ବୋଲି ଦର୍ଶାଯାଇଥିବା ବେଳେ ପଡୋଶୀ ଛତିଶଗଡର ରାୟଗଡ  ଜିଲ୍ଲା ୧୫ କିଲୋମିଟର ବୋଲି ଦର୍ଶାଯାଇଛି । ବାସ୍ତବରେ ସେହି ସ୍ଥାନଟି ଓଡିଶା କନକତୋରାର ଏବଂ ସେଠାରୁ ୩ କିଲୋମିଟର ଦୂରରେ ଅବସ୍ଥିତ । ହେଲେ ଛତିଶଗଡ ପ୍ରଶାସନ ସେହି ସ୍ଥାନକୁ ବେଶ ଚଞ୍ଚକତାର ସହ ରାଜ୍ୟ ଅଧିନସ୍ଥ ଅଞ୍ଚଳ ଭାବେ ଦର୍ଶାଇଛି । ଗତ ବର୍ଷ ଡିସେମ୍ବର ୭ ତାରିଖରେ ନିଜ ଚାଷ ଜମିରୁ ଧାନ ଆଣୁଥିବା ବେଳେ ମନୋଜ ମେହେର ନାମକ ଜଣେ ଚାଷୀଙ୍କୁ ଛତିଶଗଡ ଜୁଟ ମିଲ ପୋଲିସ ଉଠାଇ ନେଇଥିଲା । ଏହାକୁ ନେଇ ଜୋରଦାର ବିରୋଧ କରାଯିବାରୁ ଛତିଶଗଡ ପୋଲିସ ତାଙ୍କୁ ଛାଡି ଦେଇଥିଲା। ସେହି ଘଟଣା ଘଟିବାକୁ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଓଡିଶା ସରକାରଙ୍କ ପକ୍ଷରୁ କୌଣସି ସୂଚନାଫଳକ ଲାଗିନାହିଁ । ଆଜି ମଧ୍ୟ ଲୋକେ ସେହି ଜାଗାକୁ ନେଇ ଦ୍ଵନ୍ଦ୍ୱରେ ରହିଛି। ଏ ସ୍ଥାନଟି ଛତିଶଗଡ ନା ଓଡିଶାର। ଓଡିଶା ସୀମାନ୍ତରେ ଛତିଶଗଡ ପ୍ରଶାସନ ପକ୍ଷରୁ ଶ୍ମଶାନ ଘାଟ ସମେତ ଅନ୍ୟାନ୍ୟ ପ୍ରକଳ୍ପ କରାଯାଉଛି  | କିନ୍ତୁ ଓଡିଶା ସରକାରଙ୍କର ନିଦ ଭାଙ୍ଗୁନି |

ସୀମାନ୍ତ ଅଞ୍ଚଳର ଲୋକେ ଓଡିଶାକୁ ମା କହୁଥିବା ବେଳେ ଛତିଶଗଡକୁ ମାଉସୀ ବୋଲି କୁହନ୍ତି। ଛତିଶଗଡ ଲୋକଙ୍କ ସହ କୌଣସି ମନୋମାଳିନ ନାହିଁ ଝାରସୁଗୁଡାର । ଏହି ସୀମା ବିବାଦରେ ଛତିଶଗଡର ଏଭଳି ଆଚରଣ ନେଇ ଖୋଦ ଛତିଶଗଡି ଲୋକ ଓଡିଶାକୁ ସମର୍ଥନ କରୁଛନ୍ତି ଏବଂ ଏ ବିବାଦ ସମାଧାନ କରିବାକୁ ଦାବି ମଧ୍ୟ ରଖୁଛନ୍ତି । ଓଡିଶା ପକ୍ଷରୁ ସୂଚନାଫଳକ ଲଗାଗଲେ ସୀମା ବିବାଦର ସମାଧାନ ହେବ ବୋଲି ସୀମାନ୍ତ ଅଞ୍ଚଳର ବାସିନ୍ଦା ମାନେ ବାରମ୍ବାର  କହୁଛନ୍ତି  । ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାର କୋଟିଆ ଓ ବୋରିଗୁମ୍ମା  ଅଞ୍ଚଳର ଅନ୍ୟୁନ ୩୪ଟି ଗାଁକୁ ଘେନି ଆନ୍ଧ୍ର ବିବାଦ ଲଗାଇଛି । ଏ ସଂକ୍ରାନ୍ତରେ ଓଡିଶା ସୁପ୍ରିମ୍‍କୋର୍ଟରେ ମଧ୍ୟ ପ୍ରାୟ ୫୦ବର୍ଷ ତଳୁ ମାମଲା ରୁଜୁ କରିଛି । କୋଟିଆ ଅଞ୍ଚଳର କେତେକ ଗ୍ରାମରେ ଆନ୍ଧ୍ର ସରକାର ଉନ୍ନୟନମୂଳକ କାମ କରିବା ସହ ରାସନକାର୍ଡ ଓ ଭୋଟର ପରିଚୟପତ୍ର ମଧ୍ୟ ବଣ୍ଟନ କରିଛନ୍ତି । ଏମିତିକି ଜମି ପଟା ବି ବାଣ୍ଟୁଛନ୍ତି । କିଛିଦିନ ପୂର୍ବରୁ ନାରାୟଣପାଟଣାର କେତେକ ଗାଁରେ ବି ଆନ୍ଧ୍ର ପ୍ରଶାସନ ଅନୁରୂପ କାଣ୍ଡ ଘଟାଇଛି । ଏବେ କୋଟିଆ  ଅଂଚଳରେ କିଛି ଗାଁ ର ନାମ ବଦଳାଇ ନିର୍ବାଚନ ମୁଦ୍ରାରେ ଅଛି ଆନ୍ଧ୍ର | ଏହି ଗାଁ ଗୁଡିକ ହେଲା ତଳଗଞ୍ଜେଇ ପବର, ଫଗୁଣ ସିନେରି ଓ ଫାଟୁ ସିନେରି ।  ଯାହାଫଳରେ ଏହି ଗାଁର ମୂଳ ନାମକୁ ବଦଳାଇ ତେଲଗୁ ଢାଞ୍ଚାରେ ଗଞ୍ଜ‌େଇବାଦରା, ପଟ୍ଟୁଚେନ୍ନୁରୁ ଓ ପଗୁଲୁ ଚେନ୍ନରୁ ପଞ୍ଚାୟତ ଭାବେ ନାମକରଣ କରି  ନିର୍ବାଚନ କରିବାକୁ ଆନ୍ଧ୍ର ସରକାର ପକ୍ରିୟା ଆରମ୍ଭ କରିଛନ୍ତି। ସାଲୁର ମଣ୍ଡଳ ଅଧିନସ୍ଥ କୁରୁକୁଟ୍ଟି ଗ୍ରାମପଞ୍ଚାୟତରେ ଗଞ୍ଜ‌େଇବାଦରା ଲୋକେ ମତଦାନ କରିବାକୁ ରହିଥିବାବେଳେ ପଟ୍ଟୁଚେନ୍ନୁରୁ ଓ ପଗୁଲୁ ଚେନ୍ନରୁ ଲୋକେ ଥ‌ୋନମ୍‌ ଗ୍ରାମପଞ୍ଚାୟତରେ ମତଦାନ ସାବ୍ୟସ୍ଥ କରିବେ ବୋଲି ଜଣାପଡିଛି । ତେବେ ଏହି ତିନିଟି ଗାଁରେ ୧୦ହଜାରରୁ ଅଧିକ ଭୋଟର ରହିଥିବା ଜାଣିବାକୁ ମିଳିଛି । ଏସବୁ ଗଣାମାଧ୍ୟମରେ ପ୍ରକାଶ ପାଇଲା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି |ଯାହାଫଳରେ  ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏବେ ଚିନ୍ତା ଘାରିଛି କହିଲେ ଅତ୍ୟୁକ୍ତି ହେବନି | ଚଳଦୃଶ୍ୟ ବାର୍ତ୍ତା ମାଧ୍ୟମରେ ଗତକାଲି ଖୁବ୍‌ଶୀଘ୍ର କୋଟିଆ ଯିବେ ଓ କାର୍ଯ୍ୟର ସମୀକ୍ଷା କରିବେ ବୋଲି କହିଛନ୍ତି | ୧୮ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହାମଧ୍ୟରୁ ୧୩ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ୫ କୋଟି ବ୍ୟୟରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। କୋଟିଆରେ ସମୁଦାୟ ୧୫୦ କୋଟି ଟଙ୍କର ପ୍ରକଳ୍ପ କାମ ଚାଲିଛି। ସୂଚନା ଯୋଗ୍ୟ  ୨୦୧୮ରେ କୋଟିଆର ବିକାଶ ପାଇଁ ୧୫୦ କୋଟିର ପ୍ରକଳ୍ପ ଘୋଷଣା ହୋଇଥିଲା ।ଏଯାଏଁ ମାତ୍ର ୧୩ କୋଟି ଟଙ୍କାର କାମ ସରିଛି | ତେବେ ଏଠାରେ କହି ରଖୁଛୁ ଯଦି ଆନ୍ଧ୍ର ଏବେ ନିର୍ବାଚନ କରିନଥାନ୍ତା ତେବେ ମୁଖ୍ୟମନ୍ତ୍ରୀ ବୋଧହୁଏ ଏବେ କୋଟିଆ କଥା ମନେ ପକାଇ ନଥାନ୍ତେ | ଏହାକୁ ଏମିତି କୁହାଯାଇପାରେ  ଦୈନିକ ଅନେକ ବିଶ୍ୱସ୍ତରୀୟ ଯୋଜନା ଘୋଷଣା କରୁଛନ୍ତି |କିନ୍ତୁ କାର୍ଯ୍ୟକାରିତା କିଭଳି ହେଉଛି କୋଟିଆ ହେଉଛି ତାହାର ନଗ୍ନ ଉଦାହରଣ | ଆନ୍ଧ୍ର କେବଳ କୋରାପୁଟ ସହ ବିବାଦ ସୃଷ୍ଟି କରିନି  ଆହୁରି ଅନେକ ଯେପରି ଆନ୍ଧ୍ର ସହିତ ଗଞ୍ଜାମର ୨୧ଟି, ଗଜପତିର ୧୬ଟି ଓ ରାୟଗଡାର ୫ଟି ଗ୍ରାମକୁ ନେଇ ବିବାଦ ରହିଛି । ସେହିଭଳି ଝାଡଖଣ୍ଡ ସହିତ ମୟୁରଭଞ୍ଜର ୨ଟି, କେନ୍ଦୁଝରର ୫ଟି ଓ ସୁନ୍ଦରଗଡର ୬ଟି ଗ୍ରାମକୁ ନେଇ ବିବାଦ ଥିବାବେଳେ ଛତିଶଗଡ ସହିତ ନବରଙ୍ଗପୁରର ୪ଟି ଓ ଝାରସୁଗୁଡାର ଗୋଟିଏ ଗ୍ରାମକୁ ନେଇ ସୀମା ବିବାଦ ରହିଛି । ମୋଟାମୋଟି ଭାବେ ଓଡିଶାର ୧୦ଟି ଜିଲ୍ଲାର ୯୬ଟି ସୀମାନ୍ତ ଗ୍ରାମକୁ ନେଇ ପଡୋଶୀ ରାଜ୍ୟମାନଙ୍କ ସହ ବିବାଦ ଲାଗି ରହିଛି । ଏଥିରେ ଆପାତତଃ ୧୩ହଜାର ଏକରରୁ ଅଧିକ ଜମି ଓ ୧୫ହଜାର ଏକରରୁ ଅଧିକ ସଂରକ୍ଷିତ ଜଙ୍ଗଲ ଜମିର ମାଲିକାନା ଉପରେ ପଡୋଶୀ ରାଜ୍ୟମାନେ ଦାବି ଜାହିର କରି ଆସୁଛନ୍ତି । ଏ ସମସ୍ୟାର ସମାଧାନପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଅବିଳମ୍ବେ ଆଗେଇ ଆସିବା ଦରକାର |ଦେଖିବାକୁ ବାକି ରହିଲା ଏଭଳି ବିବାଦୀୟ ସ୍ଥାନ ର ସଠିକ ନିରୂପଣ ଓ ଦୀର୍ଘ ଦିନରୁ ଲାଗି ରହିଥିବା ଏହି ବିବାଦର ସମାଧାନ କେବେ ହେଉଛି  ? ପଶ୍ଚିମବଙ୍ଗ,ଆନ୍ଧ୍ରପ୍ରଦେଶ,ଛତିଶଗଡ ଓ ଝାଡ଼ଖଣ୍ଡ ର  ଦାଦାଗିରି ଏବଂ ଓଡ଼ିଶା ସରକାରଙ୍କ ଅପାରଗତା ମଧ୍ୟରେ ବଳି ନପଡନ୍ତୁ ନିରୀହ ଜନତା  । “କାରଣ କ୍ଷମତାର୍ପିତ ଜନତା ,ଉତ୍ତରଦାୟୀ ସରକାର” |ଶେଷରେ ଏତିକି କହିବୁ ରାଜନୀତିର ପଶାପାଲିରେ ଶୀକାର ନହୁଅନ୍ତୁ ସୀମାନ୍ତବାସୀ |ସରକାର ଏହାର  ଆସୁ ସମାଧାନ କରି ଜନଗଣଙ୍କୁ ଉତ୍ତରଦାଇତ୍ୱ ର ପ୍ରମାଣ ଦିଅନ୍ତୁ ….

LEAVE A REPLY

Please enter your comment!
Please enter your name here

- Advertisment -

Most Popular