ଭୁବନେଶ୍ୱର, ୨୮ ।୭ (ଇମିସ): ରାଜଧାନୀରେ ପେଟ୍ରୋଲିଂ କରୁଥିବା ପିସିଆର ଭ୍ୟାନ୍ର ପୋଲିସମାନଙ୍କ ପାଇଁ ୩୫୦ଟି ପିପିଇ କିଟ୍ କମିସନରେଟ ପୋଲିସ୍ ପକ୍ଷରୁ ପ୍ରଦାନ କରାଯାଇଛି । ରାଜଧାନୀରେ ୩୫ଟି ପିସିଆର ଭ୍ୟାନରେ ଏହି ସୁବିଧା ରଖାଯିବ । ପ୍ରତ୍ୟେକ ପିସିଆର ଭ୍ୟାନ ପାଇଁ ରହିବ ୧୦ଟି ଲେଖାଏଁ ପିପିଇ କିଟ୍ । କିଟ୍ ସହିତ ଗ୍ଲୋବସ୍, ସାନିଟାଇଜର, ବଡି ପ୍ରୋଟେକ୍ଟର ଓ ଚଷମା ରହିବାର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ରାଜ୍ୟରେ କରୋନା ଏକ ଭୟର ବାତାବରଣ ସୃଷ୍ଟି କରିସାରିଛି । ଯାହା ଫଳରେ କରୋନା ଲକ୍ଷଣ ଥିବା ଅଥବା କରୋନା ପଜିଟିଭ ଲୋକଙ୍କୁ ସାଧାରଣ ଲୋକମାନେ ସାହାଯ୍ୟ କରିବା ତ ଦୂରର କଥା । ସେମାନେ ତାକୁ ଛୁଇଁବାକୁ ବି ଡରୁଛନ୍ତି । ଏମିତିକି ରାସ୍ତାରେ କେହି ସାହାଯ୍ୟ ମାଗିଲେ ମଧ୍ୟ କରୋନା ହୋଇଯିବା ଭୟରେ କେହି ସାହାଯ୍ୟ କରୁନାହାନ୍ତି । ସେପଟେ ଏମାନଙ୍କୁ ସାହାଯ୍ୟ କରୁଥିବା ସରକାରୀ କର୍ମଚାରୀମାନେ କରୋନା ସଂକ୍ରମିତ ହେଉଛନ୍ତି । ସେଥିପାଇଁ ଏବେ ପିସିଆର ଭ୍ୟାନରେ ପିପିଇ ସେବା ରହିବ । ଦରକାର ସମୟରେ ଏହାକୁ ବ୍ୟବହାର କରାଯିବ ବୋଲି କହିଛନ୍ତି କମିସନରେଟ ପୋଲିସ୍ । ପିପିଇ ସରିବା ପରେ ପୁଣି ପିପିଇ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0