spot_img

କଳାହାଣ୍ଡି ଜିଲ୍ଲାରେ ହାତୀ ମଡକ, ୧୩ ଦିନରେ ମଲେଣି ୫ ହାତୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ହାତୀ ମଡ଼କ ଜାରି ରହିଛି। ଶନିବାର କରଲାପାଟ ଅଭୟାରଣ୍ୟର ଘୁଷୁରିଗୁଡ଼ିଠାରେ ଆଉ ଏକ ହାତୀର ଶବ ମିଳିଛି। ଏହାକୁ ମିଶାଇ ଗତ ୧୩ ଦିନ ମଧ୍ୟରେ ‌ହାତୀ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ଏହି ଘଟଣା ବନ ବିଭାଗର ନିଦ ହଜାଇ ଦେଇଛି। ଅନ୍ୟପକ୍ଷରେ ଶନିବାର ଏହାର ତଦନ୍ତ ପାଇଁ ଭୁବନେଶ୍ବର ଓୟୁଏଟିର ଦୁଇଜଣିଆ ଟିମ୍‌ ପହଞ୍ଚିଛନ୍ତି। ହେଲେ ଏଯାଏ ବିଶେଷଜ୍ଞମାନେ ହାତୀ ମଡ଼କର କାରଣ ଖୋଜି ପାଇପାରି ନାହାନ୍ତି।ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାରେ ଗତ ୧୩ଦିନରେ ୫ଟି ହାତୀଙ୍କ କରଲାପାଟ ଅଭୟାରଣ୍ୟରେ ମୃତ୍ୟୁ ଘଟିଛି। ଗତ ୧ ତାରିଖରେ କରଲାପାଟ ନିକଟସ୍ଥ ତେନ୍ତୁଳିପଦର ଠାରେ ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ତାପରେ ୮, ୧୦ ଓ ୧୨ ତାରିଖରେ କରଲାପାଟ ଅଭୟାରଣ୍ୟର ଘୁଷୁରିଗୁଡ଼ି ଠାରେ ୩ଟି ହାତୀଙ୍କର ମୃତ୍ୟୁ ଘଟିଥିଲା। ଶନିବାର ଆଉ ଏକ ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ସୂତ୍ର ଜଣାପଡ଼ିଛି। ଶନିବାର ଭୁବନେଶ୍ବର ଓୟୁଏଟିର ଲ୍ୟାବ କୋଅଡିନେଟର ନିରଞ୍ଜନ ସାହୁଙ୍କ ନେତୃତ୍ୱରେ ଦୁଇଜଣିଆ ଟିମ୍‌ କଳାହାଣ୍ଡି ପହଞ୍ଚିଛନ୍ତି। ଜିଲ୍ଲା ପ୍ରାଣୀ ବିଭାଗ ଉପନିର୍ଦେଶକଙ୍କ ସହିତ ମାରାଥନ ବୈଠକ କରିଥିଲେ। ପରେ ଏହି ଟିମ ହାତୀ ମଡକ ଅଞ୍ଚଳ ଗସ୍ତ କରି ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ଘୁଷୁରିଗୁଡ଼ି ନାଳର ପାଣି ପିଇ ହାତୀମାନଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସେପ୍ଟିସେମିଆ ଦ୍ୱାରା ଆକ୍ରାନ୍ତ ହୋଇ ହାତୀମାନଙ୍କର ମୃତ୍ୟୁ ହୋଇଛି ବୋଲି ବନ ବିଭାଗ କହିଛି। ତଦନ୍ତ ପରେ ଏହାର ସତ୍ୟତା ଲୋକଲୋଚନକୁ ଆସିବ ବୋଲି ସୂଚନା ଦିଆଯାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular