ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪ ହଜାର ୩୩୫ କୋଭିଡ ନମୁନା ପରୀକ୍ଷା ହୋଇଛି। ଯାହାକି ଏ ପର୍ଯ୍ୟନ୍ତ ସର୍ବାଧିକ। ରାଜ୍ୟରେ ଦୈନିକ ୨୦ ହଜାର ନମୁନା ପରୀକ୍ଷା ପାଇଁ ଭିତ୍ତିଭୂମି ରହିଥିବା ସରକାର କହିଥିବା ବେଳେ ଆଗକୁ ନମୁନା ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। ତେବେ ରାଜ୍ୟରେ ଟେଷ୍ଟ୍ ପଜିଟିଭ୍ ରେଟ୍ ବା ଟିପିଆଇ ୬.୧୯ ପ୍ରତିଶତରେ ପହଞ୍ଚି ଯାଇଛି। ଏପରିକି ୧୬ଟି ନମୁନାରୁ ରାଜ୍ୟରେ ଏବେ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ୧ଲକ୍ଷ ଜନସଂଖ୍ୟାରେ ରାଜ୍ୟରେ ୧୧୭୭ ଜଣଙ୍କ ନମୁନା ପରୀକ୍ଷା କରାଯାଉଛି।
ରାଜ୍ୟରେ ସ୍ବୀକୃତିପ୍ରାପ୍ତ କ୍ଲିନିକାଲ ପରୀକ୍ଷାଗାରଗୁଡ଼ିକରେ କୋଭିଡ୍ ପରୀକ୍ଷା କ୍ଷମତା ବୃଦ୍ଧି ପାଇଁ ମୁଖ୍ୟ ଶାସନ ଅସିତ ତ୍ରିପାଠୀ କହିଛନ୍ତି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାୱାରୀ ନମୁନା ପରୀକ୍ଷା ଦକ୍ଷତାର ସମୀକ୍ଷା କରିବା ଅବସରରେ ଶ୍ରୀ ତ୍ରିପାଠୀ ଏହି ନିର୍ଦେଶ ଦେଇଛନ୍ତି। ରାଜ୍ୟରେ ଏବେ ଆରଟିପିସିଆର, ଟ୍ରୁନାଟ, ସିବିନାଟ୍ ଓ ରାପିଡ୍ ଆଣ୍ଟିଜେନ୍ କିଟ୍ରେ ପରୀକ୍ଷା କରାଯାଉଛି। ୧୪ଟି ଆର୍ଟିଫିସିଆଲ ପରୀକ୍ଷାଗାର କାର୍ଯ୍ୟ କରୁଥିବା ବେଳେ ସବୁ ଜିଲ୍ଲାରେ ଆଣ୍ଟିଜେନ୍ ପରୀକ୍ଷା ହୋଇପାରୁଛି। ଆଗକୁ ପୁରୀ, ଅନୁଗୁଳ, କଳାହାଣ୍ଡି, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଆଦି ସ୍ଥାନରେ ପରୀକ୍ଷାଗାର ପ୍ରତିଷ୍ଠା କରାଯିବ। ରାଜ୍ୟରେ ଏବେ ଦୈନିକ ୨୦ ହଜାର ପରୀକ୍ଷା ନେଇ ଭିତ୍ତିଭୂମି ସୃଷ୍ଟି କରାଯାଇଥିବା ବେଳେ ଆବଶ୍ୟକତା ଅନୁସାରେ ପରୀକ୍ଷା କ୍ଷମତାକୁ ଆହୁରି ବଢ଼ାଯିବ। ଟେଷ୍ଟ, ଆଇସୋଲେଟ୍ ଓ ଟ୍ରିଟମେଣ୍ଟ କୋଭିଡ ପରିଚାଳନା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0