ଘରକୁ ଫେରୁଥିବା ବେଳେ ରାସ୍ତାରେ ଭାସିଗଲେ ବାପ-ପୁଅ। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିପାରି ନାହିଁ। ଆଜି ଅପରାହ୍ନରେ ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବରୀ ବ୍ଲକ ଅଞ୍ଚଳରେ ଘଟିଛି। ଘଟଣା ପରେ ଅଗ୍ନିଶମ ବିଭାଗ ଖୋଜାଖୋଜି ଆରମ୍ଭ କରିଛି।
ବରୀ ବ୍ଲକ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର କୁଶ ସିଂ ପଡ଼ୋଶୀ ଗାଁରୁ ନିଜ ଗାଈକୁ ଧରି ଘରକୁ ଫେରୁଥିଲେ। ତେବେ ଘରଠାରୁ ଅଳ୍ପ ଦୂରରେ ରାସ୍ତା ଉପରେ ପ୍ରବାହିତ ହେଉଥିବା ବର୍ଷା ପାଣିରେ ସେ ଭାସି ଯାଇଥିଲେ। ନିଜ ଘରର ଛାତ ଉପରେ ପୁଅ କୈଳାସ ସିଂ ନିଜ ଆଖି ଆଗରେ ବାପା ଭାସି ଯାଉଥିବା ଦେଖି ମାଆଙ୍କୁ ଡାକିଥିଲେ। ପରେ ଉଦ୍ଧାର କରିବା ପାଇଁ ଯାଇଥିଲେ। ସେ ମଧ୍ୟ ଗାଈ ସହ ଭାସି ଯାଇଥିଲେ। ବାପ-ପୁଅ ହାତ ଧରାଧରି ବର୍ଷା ପାଣି ସୁଅରେ ଭାସି ଯାଇଛନ୍ତି। ଅଗ୍ନିଶମ ବାହିନୀ ନିଖୋଜ ବାପ-ପୁଅଙ୍କ ଖୋଜାଖୋଜି ଆରମ୍ଭ କରିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନାହିଁ।
ଗତ ତିନି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ବେହାଲ ହୋଇଛି ଯାଜପୁର ଜିଲ୍ଲା। ବରୀ ବ୍ଲକ ମାଟିଆପଡ଼ା ନିକଟରେ ବ୍ରାହ୍ମଣୀ ନଦୀରେ ୨ଟି ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁ ସାହୁପଡା ଓ ଧାରପୁର ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଶହ ଶହ ହେକ୍ଟର ଚାଷଜମିରେ ପାଣି ଜମି ରହିଛି। ଘାଇ ହେବା ଯୋଗୁ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ମଙ୍ଗଳବାର ରସୁଲପୁର ବ୍ଲକର ବନ୍ଧଡିହ ପଞ୍ଚାୟତ କନ୍ଦିଆଠାରେ ଥିବା ଘେରିବନ୍ଧରେ ଘାଇ ଯୋଗୁ ଶହେରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0