ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବା ଦ୍ୱାର ପରିଚାଳିତ ୟୁନାଇଟେଡ ଲିବେରେସନ ଫ୍ରଣ୍ଟ (ୟୁଏଲଏଫ) କଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକଙ୍କୁ ଚେତାବନୀ ଦେଇଛି। ସେମାନଙ୍କୁ ସଂଗଠନ ପକ୍ଷରୁ ତୁରନ୍ତ କଶ୍ମୀର ଛାଡ଼ିବାକୁ କୁହାଯାଇଛି। ରବିବାର ଦକ୍ଷିଣ କଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କ ହମଲାରେ ବିହାରର ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏହା କଶ୍ମୀରରେ ରହୁଥିବା ପ୍ରବାସୀଙ୍କ ଉପରେ ତୃତୀୟ ହମଲା। ଏହାପୂର୍ବରୁ ଶନିବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶ ଓ ବିହାରର ଜଣେ ଲେଖାଏ ଶ୍ରମିକଙ୍କୁ କଶ୍ମୀରରେ ଆତଙ୍କୀମାନେ ହତ୍ୟା କରିଥିଲେ। ଚଳିତ ମାସରେ ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇବା ପରେ ପ୍ରବାସୀଙ୍କ ସୁରକ୍ଷା ପାଇଁ ପୁଲିସ୍ ପ୍ରଶାସନର ଚିନ୍ତା ବଢ଼ି ଯାଇଛି। ଯଦି ସେମାନେ କଶ୍ମୀର ନଛାଡ଼ିବେ, ତା’ହେଲେ ସେମାନଙ୍କ ଉପର ହମଲା କରାଯିବ ବୋଲି ସଂଗଠନ ଧମକ ଦେଇଛି। ଏଥିସହ ରବିବାର ବିହାରର ଦୁଇ ଶ୍ରମିକଙ୍କୁ ହତ୍ୟା କରିବା ଘଟଣା ପାଇଁ ୟୁଏଲଏଫ ନିଜକୁ ଦାୟୀ କରିଛି। ବିଗତ କିଛି ଦିନ ହେଲେଣି କଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକ ଓ ସାଧାରଣ ଜନତାଙ୍କ ଉପରେ ଆତଙ୍କୀମାନେ ହମଲା କରିବାରେ ଲାଗିଛନ୍ତି। ଏଯାଏ ଏହି ହମଲା ଯୋଗୁ ୧୧ ଜଣ ପ୍ରାଣ ସାରିଲେଣି। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଆଜି ୟୁଏଲଏଫ ପୁଣି ଆକ୍ରମଣ ପାଇଁ ଚେତାବନୀ ଦେଇଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0