ଏଥର ଟେଲିଭିଜନ ଆଉ ଆଲିଙ୍ଗନ କରିପାରିବେନି ତାରକା। କେବଳ ସେତିକି ନୁହେଁ ପ୍ରେମ ଓ ଆବେଗଭରା ସ୍ପର୍ଶ କରିବା ବି ମନା। ପାକିସ୍ତାନ ଇଲେକ୍ଟ୍ରୋନିକ୍ ମିଡିଆ ରେଗୁଲେଟାରୀ ଅଥରିଟି (ପେମ୍ରା) ସ୍ଥାନୀୟ ଟେଲିଭିଜନ ଚ୍ୟାନେଲଗୁଡିକୁ ସିରିଏଲ୍ ବା ନାଟକରେ ଆଲିଙ୍ଗନ, ଚୁମ୍ବନ ତଥା ସ୍ପର୍ଶ ଦୃଶ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଦେଶରେ କୁହାଯାଇଛି ଯେ, ନାଟକ ତଥା ଡ୍ରାମା ଗୁଡିକରେ ଦର୍ଶାଯାଉଥିବା ଆଲିଙ୍ଗନ ଓ ପ୍ରେମବୋଳା ସ୍ପର୍ଶ ଦୃଶ୍ୟକୁ ନେଇ ଦର୍ଶକଙ୍କ ଠାରୁ ଅନେକ ଅଭିଯୋଗ ଆସିଛି। ସେପ୍ଟେମ୍ବର ମାସରେ ପେମ୍ରା କଲ୍ ସେଣ୍ଟର ଦ୍ୱାରା ଅଧିକାଂଶ ଅଭିଯୋଗ ଗ୍ରହଣ କରାଯାଇଛି। ସିରିଏଲ୍ ‘ଜୁଦା ହୁଏ କୁଛ ଇସ୍ ତରହା’ର ଏକ ଏପିସୋଡ୍ ଟିଜରରେ ଦର୍ଶାଯାଇଥିବା ବୋଲ୍ଡ ସିନ୍କୁ ନେଇ ଝଡ ସୃଷ୍ଟି ହୋଇଥିଲା। ଏହାପରେ ପାକିସ୍ତାନୀ ଚ୍ୟାନେଲ ‘ହମ୍’ ଟିଭିକୁ ଚାରିଆଡୁ ସମାଲୋଚନା କରାଯାଇଥିଲା। କର୍ତ୍ତୃପକ୍ଷ ଏହା ମଧ୍ୟ କହିଛି ଯେ, ଅଶ୍ଳୀଳ ଡ୍ରେସିଂ, ବିବାଦୀୟ ତଥା ଆପତ୍ତିଜନକ ପ୍ଲଟ୍ ଘଟଣାଗୁଡ଼ିକର ଅନାବଶ୍ୟକ ବିବରଣୀ” ସହିତ ବିଷୟବସ୍ତୁ ସମୀକ୍ଷା କରିବାକୁ ବାରମ୍ବାର ଚ୍ୟାନେଲଗୁଡିକୁ ନିର୍ଦ୍ଦେଶ ଦେଇଛି। କିନ୍ତୁ ଏ ସତ୍ତ୍ୱେ ସେମାନେ ସୁଧୁରୁ ନାହାନ୍ତି। ବିଜ୍ଞପ୍ତିରେ ଆହୁରି କୁହାଯାଇଛି, ‘ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ବିଶ୍ୱାସ କରେ ଯେ ନାଟକଗୁଡ଼ିକ ପାକିସ୍ତାନୀ ସମାଜର ପ୍ରକୃତ ଚିତ୍ରକୁ ଚିତ୍ରିତ କରୁନାହିଁ। ପାକିସ୍ତାନୀ ସମାଜର ଇସଲାମିକ ଶିକ୍ଷା ତଥା ସଂସ୍କୃତିକୁ ସମ୍ପୂର୍ଣ୍ଣ ଅବମାନନା କରି ଆଲିଙ୍ଗନ / ପରକୀୟାପ୍ରୀତି / ଅଶ୍ଳୀଳ ଦୃଶ୍ୟ/ ବୋଲ୍ଡ ଡ୍ରେସିଂ, ବେଡ୍ ସିନ୍ ଏବଂ ବିବାହିତ ଦମ୍ପତିଙ୍କ ଅନ୍ତରଙ୍ଗତାକୁ ଅଧିକ ଗ୍ଲାମରସ୍ କରାଯାଉଛି।’



Visitors Today : 2
Total Visitors : 130171
Total Views : 9891617
Visitors Online Now : 0