କାବୁଲ ଡାକ୍ତରଖାନାରେ ମଙ୍ଗଳବାର ହୋଇଥିବା ଭୟାବହ ଆତଙ୍କବାଦୀ ଆକ୍ରମଣ ପାଇଁ ‘ଇସ୍ଲାମିକ୍ ଷ୍ଟେଟ୍’ ନିଜକୁ ଦାୟୀ ବୋଲି କହିଛି। ଏହି ଘଟଣାରେ ଅନ୍ୟୂନ ୨୫ ଜଣଙ୍କର ମୃତ୍ୟୁ ଏବଂ ପ୍ରାୟ ୫୦ଜଣ ଆହତ ହୋଇଥିବା ସୂଚନା ରହିଛି। ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ କହିଛନ୍ତି, ଡାକ୍ତରଖାନାରେ ବିସ୍ଫୋରକ ଫୁଟାଇଥିବା ଜଣେ ଆତ୍ମଘାତୀ ବୋମାବିସ୍ଫୋରଣକାରୀଙ୍କ ସମେତ ‘ଇସ୍ଲାମିକ୍ ଷ୍ଟେଟ୍’ର କେତେକ ସଦସ୍ୟ ଏହି ଆକ୍ରମଣରେ ସାମିଲ୍ ଥିଲେ। ଡାକ୍ତରଖାନା ବାହାରେ ବିସ୍ଫୋରକପୂର୍ଣ୍ଣ ଗୋଟାଏ କାର୍ ମଧ୍ୟ ବିସ୍ଫୋରିତ ହୋଇଥିଲା। ଫଳରେ ଅନେକ ବ୍ୟକ୍ତି ଆହତ ହୋଇଥିଲେ। ପରେ ପରେ ହୋଇଥିବା ଗୁଳି ବିନିମୟ ଯୋଗୁଁ କେତେକ ତାଲିବାନ୍ ଯୋଦ୍ଧା ମୃତାହତ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ଏହାର କିଛି ସମୟ ପରେ ‘ଆଇଏସ୍ଆଇଏସ୍-କେ’ ଭାବେ ସୁପରିଚିତ ‘ଇସ୍ଲାମିକ୍ ଷ୍ଟେଟ୍ ଖୋରସାନ’ ଉପରୋକ୍ତ ଆକ୍ରମଣ ପାଇଁ ନିଜକୁ ଦାୟୀ ବୋଲି ଘୋଷଣା କରିଥିଲା। କାବୁଲ ନିକଟରେ ଥିବା ୪୦୦ ଶଯ୍ୟାବିଶିଷ୍ଟ ‘ସର୍ଦାର୍ ମହମ୍ମଦ୍ ଦାଉଦ୍ ଖାଁ ସାମରିକ ଡାକ୍ତରଖାନା’କୁ ଆତଙ୍କବାଦୀମାନେ ‘ଟାର୍ଗେଟ୍’ କରିଥିଲେ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0