ପରାଗ ଅଗ୍ରୱାଲ ହୋଇଛନ୍ତି ଟ୍ୱିଟରର ନୂଆ ସିଇଓ। ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଥିବା ପରାଗଙ୍କୁ ଟ୍ୱିଟର ଗ୍ରୁପ୍ର ସିଇଓ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ଜ୍ୟାକ୍ ଡୋର୍ସେ ସିଇଓ ପଦରୁ ଇସ୍ତଫା ଦେବା ପରେ ପରାଗଙ୍କୁ ଏହି ପଦବୀରେ ତତ୍କାଳ ଅବସ୍ଥାପିତ କରାଯାଇଛି। ଏହା ସହିତ ସେ ଟ୍ୱିଟର ବୋର୍ଡର ଜଣେ ସଦସ୍ୟ ଭାବେ ମଧ୍ୟ ନିଯୁକ୍ତି ପାଇଛନ୍ତି। ପରାଗ ଆଇଆଇଟି ବମ୍ବେର ଛାତ୍ର ଥିଲେ। ସେ ସେଠାରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଆମେରିକା ଚାଲି ଯାଇଥିଲେ। ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଡକ୍ଟରେଟ୍ ଲାଭ କରିଥିଲେ। ୨୦୧୧ରେ ସେ ଟ୍ୱିଟରରେ ଯୋଗ ଦେଇଥିଲେ। ୨୦୧୭ରୁ ସେ ଟ୍ୱିଟରର ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ବର୍ଷେ ହେଲା ଜ୍ୟାକ୍ ଡୋର୍ସେଙ୍କୁ ସିଇଓ ପଦରୁ ଅବ୍ୟାହତି ଦେବାକୁ ଟ୍ୱିଟର ବୋର୍ଡ ଚିନ୍ତା କରୁଥିଲା। ଆଉ ଶେଷରେ ଡୋର୍ସେ ଗତକାଲି ନିଜଆଡ଼ୁ ଇସ୍ତଫା ଦେଇଥିଲେ। ସେ ଟ୍ୱିଟରରେ ୧୬ ବର୍ଷ ଧରି କାମ କରିବା ପରେ ଇସ୍ତଫା ଦେଇଛନ୍ତି। ଏହି ଖବର ଆସିବା ପରେ ପରାଗ ଟ୍ୱିଟ୍ କରି ଡୋର୍ସେ ଓ ପୂରା ଟ୍ୱିଟର ଟିମ୍କୁ ଧନ୍ୟବାଦ ଦେଇଛନ୍ତି। ନୂଆ ଦାୟିତ୍ୱକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି। ସମସ୍ତେ ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ଓ ସହଯୋଗର ହାତ ବଢ଼ାଇଥିବାରୁ ସେ ଧନ୍ୟବାଦ ଦେଇଛନ୍ତି। ଏହା ସହିତ ସେ ନୂଆ ଦାୟିତ୍ୱ ପାଇବା ପରେ କମ୍ପାନୀକୁ ଲେଖିଥିବା ଚିଠିକୁ ଟ୍ୱିଟର ମାଧ୍ୟମରେ ସାର୍ବଜନନୀନ କରିଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0