ଦୀର୍ଘ ୧ ବର୍ଷରୁ ଅଧିକ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଆନ୍ଦୋଳନ ଶେଷ ହୋଇଛି । ଆଜି ୪୦ କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ଏହାସହ ୧୧ ତାରିଖରୁ କୃଷକମାନଙ୍କୁ ସେମାନଙ୍କ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଦୋଳନ ବନ୍ଦ ପରେ ୧୫ ତାରିଖରେ କୃଷକନେତାମାନେ ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରରେ ଦର୍ଶନ କରିବେ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ଟି ଆଇନକୁ ପ୍ରତ୍ୟାହାର, ଉତ୍ପାଦିତ ଖାଦ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ପରିସରକୁ ଆଣିବା ଭଳି ଦାବି ନେଇ କୃଷକମାନେ ଆନ୍ଦୋଳନ ଜାରି ରଖିଥିଲେ । ଏହାରି ଭିତରେ ଗୋଟିଏ ବର୍ଷ ବିତିଯାଇଛି । କେନ୍ଦ୍ର ସରକାର ପାରିତ କରିଥିବା ୩ଟି କୃଷି ଆଇନକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରିଛନ୍ତି । ଅନ୍ୟପଟେ ଆଜି ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ କୃଷକନେତାମାନେ ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା କରିବା ସହ ଏମଏସପିକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା କମିଟିରେ କିଷାନ ମୋର୍ଚ୍ଚାର ପ୍ରତିନିଧି ରହିବା ଉପରେ ସହମତି ପ୍ରକାଶ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0