ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟ ଘଟିଛି। ମୃତକ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ବାବୁ ସାହି ଅଞ୍ଚଳର ଶଂଖୁ ରାୟ । ଶଂଖୁ ଏକ ବଧୁ ହତ୍ୟା ମାମଲାରେ ୨୦୧୯ରୁ ବିଚାରାଧୀନ ବନ୍ଦୀ ଭାବେ ଜେଲରେ ରହି ଆସୁଥିଲେ । ଗତକାଲି ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ବାରିପଦା ପିଆରଏମ୍ ମେଡିକାଲ କଲେଜକୁ ନେଇଥିଲେ । କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କର ମୃତ୍ୟ ଘଟିଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ସୂଚନା ଅନୁଯାୟୀ, ବଧୁ ହତ୍ୟା ଜନିତ ମାମଲାରେ ଗତ ୨୫ ଡିସେମ୍ବର ୨୦୧୯ ମସିହାରେ ଗିରଫ ହୋଇ ବାରିପଦା ସ୍ଥିତ ମଣ୍ଡଳ କାରାଗାରରେ ଶଙ୍ଖୁ ବିଚାରଧୀନ କଏଦୀ ଭାବେ ସଜା କାଟୁଥିଲେ। ତାଙ୍କ ସହ ତାଙ୍କ ବାପା,ମା ଓ ବଡ଼ଭାଇ ମଧ୍ୟ ଦଣ୍ଡାଦେଶ ଭୋଗୁଥିଲେ। କିନ୍ତୁ ଗତକାଲି ସେ ଦିନ ସମୟରେ ଖାଇ ସାରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ବାରିପଦାସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପୂର୍ବରୁ ତାଙ୍କ ମୃତ୍ୟ ହୋଇସାରିଥିବା ନେଇ ଘୋଷଣା କରିଥିଲେ।ଅନ୍ୟପଟେ ୬ମାସ ପୂର୍ବରୁ ମଧ୍ୟ ତାଙ୍କ ମା’ଙ୍କର ମଧ୍ୟ ଜେଲରେ ବିଚାରଧୀନ ଅବସ୍ଥାରେ ମୃତ୍ୟ ଘଟିଥିଲା। ବର୍ତ୍ତମାନ ସମୟରେ ଜେଲରେ ମୃତ ଶଙ୍ଖୁଙ୍କ ବାପା ଓ ବଡ଼ଭାଇ ବିଚାରଧୀନ ଅବସ୍ଥାରେ ରହିଛନ୍ତି। ଏହି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବା ଶଙ୍ଖୁଙ୍କ ଓକିଲ ସ୍ଵର୍ଣ୍ଣଲିପି ଦାସ ପଟ୍ଟନାୟକ ଦାବି କରିଛନ୍ତି ।ଏନେଇ ଶଂଖୁଙ୍କ ଓକିଲ କହିଛନ୍ତି, ଶଂଖୁର ଛାତିରେ ଯନ୍ତ୍ରଣା ହେବା ନେଇ ଜେଲ୍ର ଫୋନ୍ କରି କୋର୍ଟଙ୍କୁ ଅବଗତ କରାଇଥିଲେ। ଏହାପରେ ମେଡିକାଲରେ ପହଞ୍ଚି ମୋ ମହକିଲର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଲି। ତା’ର ଶବ ବ୍ୟବଚ୍ଛେଦ କରି ଅନ୍ତିମ ସତ୍କାର ରୀତି ଅନୁଯାୟୀ କରିବାକୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0