ଖାନ ସାରଙ୍କ ନାଁରେ ଏଫଆଇଆର୍ ରୁଜୁ କରିଛି ପୁଲିସ: ରେଳବାଇ ଚାକିରିକୁ ନେଇ ବିକ୍ଷୋଭ
ପାଟନା: ୟୁଟ୍ୟୁବର ଖାନ ସାର୍ଙ୍କ ନାଁରେ ଏଫଆଇଆର ରୁଜୁ କରିଛି ବିହାର ପୁଲିସ୍ । ଭାରତୀୟ ରେଳବାଇରେ ନିଯୁକ୍ତିକୁ ନେଇ ଦେଖାଯାଇଥିବା ଛାତ୍ର ଆନ୍ଦୋଳନ ଓ ହିଂସାକାଣ୍ଡ ପଛରେ ଖାନ ସାର୍ଙ୍କ ହାତ ଥିବା ପୁଲିସ୍ କହିଛି। ଏଥିପାଇଁ ପିଲାମାନଙ୍କୁ ପ୍ରବେଶିକା ପରୀକ୍ଷା ପାଇଁ ଶିକ୍ଷା ଦେଉଥିବା ଖାନ ସାର ଓ ଅନ୍ୟ କିଛି ବ୍ୟକ୍ତିଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଛି। ପାଟନାରେ ସୋମବାର ଓ ମଙ୍ଗଳବାର ବିକ୍ଷୋଭ କରୁଥିବା କିଛି ଶିକ୍ଷାର୍ଥୀଙ୍କୁ ପୁଲିସ୍ ଅଟକ ରଖିଥିଲା। ସେମାନଙ୍କୁ ଜେରା କରିବା ପରେ ହିଁ ପୁଲିସ୍ ଖାନ ସାରଙ୍କ ଭୂମିକା ବିଷୟରେ ଜାଣିବାକୁ ପାଇଥିଲା। ଆରଆରବି ଏନଟିପିସି ପରୀକ୍ଷା ଯଦି ବାତିଲ ନ ହୁଏ, ତା’ହେଲେ ପିଲାମାନେ ରାଜରାସ୍ତାରେ ସେମାନଙ୍କ ଆନ୍ଦୋଳନକୁ ଜୋରଦାର କରିବା ଦରକାର ବୋଲି ଖାନ୍ ସାର କହୁଥିବା ଗୋଟିଏ ଭିଡିଓ ମଧ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।
ତାଙ୍କୁ ଯେତେବେଳେ ତାଙ୍କର ପ୍ରକୃତ ନାଁ ପଚରାଯାଇଥିଲା ସେ କହିଥିଲେ ଯେ “ମୁଁ ପାଠପଢ଼ାଉଥିବା କୋଚିଂ ସେଣ୍ଟର ମୋର ପ୍ରକୃତ ନାଁ କହିବାକୁ ବାରଣ କରିଛି। ଏଥିସହ ବ୍ୟକ୍ତିଗତ ନମ୍ବର ମଧ୍ୟ ଶେୟାର ନ କରିବାକୁ କହିଛି। କିଛି ପିଲା ମୋତେ ଖାନ ସାର୍ ଡାକିବା ଆରମ୍ଭ କରିଥିଲେ। ଏବେ ମୁଁ ସେହି ନାଁରେ ପରିଚିତ। ଉପଯୁକ୍ତ ସମୟ ଆସିଲେ ସମସ୍ତେ ମୋ ପ୍ରକୃତ ନାଁ ଜାଣି ପାରିବେ।”
ଖାନ୍ ସାରଙ୍କ ନାଁରେ ଏଫଆଇଆର ହୋଇଥିବାରୁ ଏହାକୁ ବିଭିନ୍ନ ରାଜନୀତିକ ଦଳ ବିରୋଧ କରିଛନ୍ତି। ଜନ ଅଧିକାର ପାର୍ଟି ନେତା ପପୁ ଯାଦବ କହିଛନ୍ତି, ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ସ୍ୱର ଚାପିବା ଉଦ୍ୟମ ବନ୍ଦ କରାଯାଉ। ଆରଆରବି-ଏନଟିପିସି ବିକ୍ଷୋଭ ଘଟଣାରେ ଶିକ୍ଷକମାନଙ୍କୁ ଫସାଇବା ଦୁର୍ବାଗ୍ୟଜନକ। ଏଫଆଇଆର ପରେ ଖାନ ସାର୍ ଗୋଟିଏ ଭିଡିଓ ଜାରି କରି ପିଲାମାନଙ୍କୁ ହିଂସାକାଣ୍ଡରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି। ହିଂସାକାଣ୍ଡ ଘଟାଇଲେ ସେମାନଙ୍କୁ କେହି ବି ସମର୍ଥନ କରିବେ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0