ବେଙ୍ଗାଲୁରୁ: ଜଣେ ବାଂଲାଦେଶୀ ମହିଳାଙ୍କୁ ବେଙ୍ଗାଲୁରୁ ପୁଲିସ୍ ଗିରଫ କରିଛି। ସେ ଦୀର୍ଘ ୧୫ ବର୍ଷ ହେଲା ବେଆଇନ ଭାବେ ଭାରତରେ ହିନ୍ଦୁ ଭାବେ ରହି ଆସୁଥିଲେ ,ମହିଳା ଜଣଙ୍କ ବାଂଲାଦେଶରୁ ଏଠାକୁ ଶରଣାର୍ଥୀ ଭାବେ ଆସିଥିଲେ। ହେଲେ ପରେ ନିଜକୁ ଜଣେ ହିନ୍ଦୁ ମହିଳାର ପରିଚୟ ଦେଇ ୧୫ ବର୍ଷ ହେଲା ଭାରତରେ ବେଆଇନ ଭାବେ ରହୁଥିଲେ। ଏ ସମ୍ପର୍କରେ ପ୍ରଥମେ Foreigners Regional Registration of India ଖବର ପାଇଥିଲା। ଏହାପରେ ବେଙ୍ଗାଲୁରୁ ପୁଲିସ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ପୁଲିସ୍ ବେଙ୍ଗାଲୁରୁ ଉପକଣ୍ଠରୁ ଏହି ମହିଳାଙ୍କୁ ଗିରଫ କରିଛି।
ପୁଲିସ୍ ସୂଚନା ଅନୁଯାୟୀ, ଦୀର୍ଘ ୩ ମାସର ସର୍ଚ୍ଚ ଅପରେସନ ପରେ ମହିଳାଙ୍କୁ କାବୁ କରାଯାଇଛି। ରୋନିଙ୍କୁ ଯେତେବେଳେ ମାତ୍ର ୧୨ ବର୍ଷ ବୟସ ହୋଇଥିଲା ସେ ବାଂଲାଦେଶରୁ ଭାରତକୁ ଚାଲି ଆସିଥିଲେ। ପ୍ରଥମେ ସେ ମୁମ୍ବାଇର ଗୋଟିଏ ଡ୍ୟାନ୍ସ ବାର୍ରେ ନାଚିବା ଆରମ୍ଭ କରିଥିଲେ। ଏହି ସମୟରେ ନିଜ ନାଁକୁ ପାୟଲ ଘୋଷରେ ପରିବର୍ତ୍ତନ କରିଥିଲେ ଓ ତାଙ୍କ ଘର ବେଙ୍ଗଲରେ ବୋଲି ସମସ୍ତଙ୍କୁ କହିଥିଲେ। ଭାରତରେ ରହିବା ବେଳେ ନୀତୀନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଏହି ପ୍ରେମ ସମ୍ପର୍କ ବିବାହର ରୂପ ମଧ୍ୟ ନେଇଥିଲା। ବାହାଘର ପରେ ନୀତୀନ ଓ ରୋନି ଓରଫ ପାୟଲ ୨୦୧୯ରୁ ବେଙ୍ଗାଲୁରୁର ଅଞ୍ଜନାନଗର ଅଞ୍ଚଳରେ ରହୁଥିଲେ।
ରୋନି ଏଠାରେ ଟେଲରିଂ କାମ କରୁଥିଲେ ଓ ନୀତୀନ ଡେଲିଭରୀ ଏକ୍ସୁକେଟିଭ ଭାବେ କାମ କରି ବେଶ ଖୁସିରେ ଜୀବନ ବିତାଉ ଥିଲେ। ମୁମ୍ବାଇରେ ଥିବା ବେଳେ ହିଁ ଏହି ଦମ୍ପତି ପାନ କାର୍ଡ ଓ ବେଙ୍ଗାଲୁରୁରୁ ଆଧାର କାର୍ଡ ହାତେଇ ଥିଲେ। ସବୁକିଛି ଠିକ୍ ଚାଲିଥିବା ବେଳେ ବାଂଲାଦେଶରେ ରହୁଥିବା ରୋନିଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ସେ ବାଂଲାଦେଶ ଯିବାକୁ ଚାହିଁଥିଲେ। ଏଥିପାଇଁ ସେ କୋଲକାତାରେ ପହଞ୍ଚି ଥିଲେ ଓ ସେଠାରୁ ଢାକା ଯିବାକୁ ଯୋଜନା କରିଥିଲେ।
ତେବେ ଇମିଗ୍ରେସନ ଅଫିସର ତାଙ୍କ ପାସପୋର୍ଟ ଡକ୍ୟୁମେଣ୍ଟ ଉପରେ ସନ୍ଦେହ ପ୍ରକାଶ କରି ଏହାକୁ ଜବତ କରି ନେଇଥିଲେ। ତଦନ୍ତ ପରେ ରୋନି ଜଣେ ବେଆଇନ ଶରଣାର୍ଥୀ ଭାବେ ଭାରତରେ ରହୁଥିବା ଜଣାପଡ଼ିଥିଲା। କିନ୍ତୁ ସେତେବେଳକୁ ସେ ବେଙ୍ଗାଲୁରୁ ଚାଲି ଆସିଥିଲେ। ତାଙ୍କୁ ଧରିବା ପାଇଁ ବାୟଦରହାଲ୍ଲି ପୁଲିସ୍ ମାମଲା ରୁଜୁ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଶେଷରେ ପୁଲିସ୍ ହାତରେ ରୋନି ଧରାପଡ଼ିଛନ୍ତି। ରୋନି କେମିତି ପାନ, ଆଧାର ଓ ଭୋଟ ପରିଚୟପତ୍ର ହାସଲ କରିଥିଲେ, ସେ ଦିଗରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0