ଆଜି ପବିତ୍ର ମକର ସଂକ୍ରାନ୍ତି। କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ପାଳିତ ହେଉଛି ମକର ସଂକ୍ରାନ୍ତି। ସାଧାରଣତଃ ପ୍ରତି ସଂକ୍ରାନ୍ତିରେ ସୂର୍ୟ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରିଥାନ୍ତି। ମକର ସଂକ୍ରାନ୍ତି ଦିନ ସୂର୍ୟ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି ଦିନ ସୂର୍ୟ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରନ୍ତି।ତେଣୁ ଏହି ୬ମାସକୁ ଶୁଭ ବୋଲି କୁହାଯାଇଥାଏ । ତେଣୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ,ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ । ଏହି ସମୟରେ ସୂର୍ୟ୍ୟ ଉପାସନ କରାଯାଏ । ‘ମକରଠାରୁ ଦିନ ବକର ହୁଏ’, ଅର୍ଥାତ ଏହି ଦିନଠାରୁ ଦିନ ବଡ଼ ହୁଏ । ସୂର୍ୟ୍ୟଙ୍କର ପ୍ରକପ ମଧ୍ୟ ଏହି ଦିନଠାରୁ ପ୍ରଖର ହୋଇଥାଏ।

ମକର ସଂକ୍ରାନ୍ତିକୁ ନେଇ ଏକ ପୌରାଣିକ ଆଖ୍ୟା ମଧ୍ୟ ରହିଛି । ସୂର୍ୟ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁମାନଙ୍କର ପରଲୋକ ହୁଏ, ସେମାନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ମକର ସଂକ୍ରାନ୍ତି ଠାରୁ ସୂର୍ୟ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ସୂର୍ୟ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୁଜା କରିଥାନ୍ତି । କେତେକ ଏହି ଦିନ ଉଭୟ ଶିବ ଓ ସୂର୍ୟ୍ୟଙ୍କୁ ମଧ୍ୟ ପୂଜା କରିଥାନ୍ତି।

ମକର ସଂକ୍ରାନ୍ତି ଦିନ ନଦୀ, ପୋଖରୀରେ ସ୍ନାନାଦି କାର୍ୟ୍ୟ ସମାପନ କରି ସୂର୍ୟ୍ୟଙ୍କୁ ଦର୍ଶନ କଲେ, ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ପୁଣ୍ୟଲାଭ ଆଶାରେ ଏହି ଦିନ ଅନେକ ଧାର୍ମିକ ଲୋକ ଗଙ୍ଗାସାଗରରେ ବୁଡ଼ ପକାଇଥାନ୍ତି ।

ଓଡ଼ିଶାରେ ମୟୂରଭଞ୍ଜ ଓ କେନ୍ଦୁଝରରେ ଏହି ପର୍ବ ଜାକଜମକରେ ପାଳନ କରାଯାଇଥାଏ । ମୟୂରଭଞ୍ଜର ଗାଁ ଗାଁରେ ଟୁସୁ ପର୍ବ ଜାକଜମକରେ ପାଳନ କରିଥାନ୍ତି ମହାନ୍ତ ସଂପ୍ରଦାୟ ଲୋକମାନେ। ପୁଣ୍ୟ ବୈତରଣୀ ନଦୀର ଭୀମକୁଣ୍ଡ ଏବଂ କେଶରୀ କୁଣ୍ଡରେ ମକର ସଂକ୍ରାନ୍ତି ଅବସରରେ ବୁଡ ପକାଇଥାନ୍ତି ହଜାର ହଜାର ଶ୍ରଦ୍ଧାଳୁ।

ଲୋକଙ୍କ ବିଶ୍ୱାସ, ମକର ସଂକ୍ରାନ୍ତିରେ ବୈତରଣୀ ନଦୀରେ ବୁଡ ପକାଇଲେ ପୁଣ୍ୟ ମିଳିଥାଏ । ସେଥିପାଇଁ ପ୍ରତିବର୍ଷ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ନଦୀରେ ବୁଡ ପକାଇବା ସହ ଭୀମକୁଣ୍ଡର କୁଣ୍ଡେଶ୍ୱର ମହାଦେବ ଏବଂ କେଶରୀ କୁଣ୍ଡର ଶିବ ମନ୍ଦିରରେ ଲୋକେ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥାନ୍ତିl

ଆଜି ଓଡ଼ିଆଙ୍କ ଘରେ ଘରେ ମକର ଚାଉଳ ପ୍ରସ୍ତୁତ ହୋଇଥାଏ। ଆଜିର ତିଥିରେ ଶ୍ରୀମନ୍ଦିରରେ ମକର ବେଶରେ ବିଭୂଷିତ ହୋଇଥାନ୍ତି ଶ୍ରୀ ଜିଉ। ସକାଳୁ ମଙ୍ଗଳ ଆଳତୀ, ଅବକାଶ, ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା , ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ହୋଇଥାଏ। ସେପଟେ ଦକ୍ଷିଣ ଭାରତରେ ଏହି ପର୍ବକୁ ୩ ଦିନ ଧରି ପାଳନ କରାଯାଏ । ତେଲୁଗୁ ସଂପ୍ରଦାୟର ଲୋକେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ଭାବେ ପାଳନ କରିଥାନ୍ତି। ଯାହା ୩ ଦିନ ଧରି ପାଳନ ହୋଇଥାଏ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0